ବାରମ୍ବାର ଲିଖିତ ଅଭିଯୋଗ ସତ୍ତ୍ୱେ ଶୁଣୁନି ଗ୍ରାମ୍ୟ ଉନ୍ନୟନ ବିଭାଗ।
୫ କିମି ରାସ୍ତା ଶୋଚନୀୟ, ଯାତାୟାତରେ ହନ୍ତସନ୍ତ ଅଞ୍ଚଳବାସୀ ।
ଗଜପତି,୨୨.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:
ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏବେ ବି ଅନେକ ଗାଁକୁ ଭଲ ରାସ୍ତାଟିଏ ମିଳିପାରିନାହିଁ। ଏହାର ଏକ ଉଦାହରଣ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ମୁନୁସିଂ ପଞ୍ଚାୟତର ସାରାବିରଠାରୁ ଆଲମାଲ ଘାଟି ପର୍ଯ୍ୟନ୍ତ ଭାୟା ଉପର ଖିଲିମୁଣ୍ଡା ରାସ୍ତା।ପ୍ରାୟ ୬ କିଲୋମିଟର ଦୀର୍ଘ ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ରାସ୍ତାରେ ଯାତାୟାତ କରିବା ଅଞ୍ଚଳବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ବିଶେଷ କରି ବର୍ଷା ଦିନରେ ଯାତାୟାତ ଆହୁରି କଷ୍ଟକର ହୋଇପଡ଼ୁଛି।ଉପର ଖିଲିମୁଣ୍ଡା ଗ୍ରାମବାସୀ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ସାମିଲ କରିବାକୁ ଏକାଧିକ ଥର ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ରାସ୍ତା ନିର୍ମାଣ ହେଲେ ଅଜୟଗଡ଼, ନାମନଗଡ଼ ଓ କୁଜାସିଂ ପଞ୍ଚାୟତର ପ୍ରାୟ ୩୦ଟି ଗାଁର ଲୋକେ ଉପକୃତ ହୋଇପାରିବେ। ବିଶେଷ କରି ଗୁମ୍ମା ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ କରିବା ସହଜ ହେବ।
ଏଥିସହ ଛାତ୍ରଛାତ୍ରୀ, ରୋଗୀ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ମଧ୍ୟ ବହୁ ସୁବିଧା ମିଳିବ।ତେବେ ବାରମ୍ବାର ଦାବି ଓ ଲିଖିତ ଅଭିଯୋଗ ପରେ ମଧ୍ୟ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କାହିଁକି ଆରମ୍ଭ ହୋଇପାରୁନାହିଁ, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ତୁରନ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହାକୁ ସାମିଲ କରିବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବିଜୟ ରଇତ,ଅସୁନ ଗମାଙ୍ଗ,ଏଲିୟ ରଇତ, ମାନସ ମଣ୍ଡଳ ଓ ବର୍ଣ୍ଣବା ରଇତଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।
