ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ୬,୪୭୪ କର୍ମଚାରୀ ନିୟୋଜିତ, ୩୫୮ଟି ଗାଡ଼ି ଓ ଜରୁରୀକାଳୀନ ଉପକରଣ ପ୍ରସ୍ତୁତ

ବ୍ରହ୍ମପୁର, ୧୭ ନଭେମ୍ବର ୨୦୨୬: ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ଅକୱାନ’ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଦ୍ୟୁତ ସରବରାହକୁ ସ୍ୱାଭାବିକ ରଖିବା ସହ ବିପର୍ଯ୍ୟୟ ସମୟରେ ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ୬,୪୭୪ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

କମ୍ପାନୀ ପକ୍ଷରୁ ୪ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବଷ୍ଟେସନ୍, ୩୫୮ଟି ଗାଡ଼ି, ୨୫ଟି ଆସ୍କା ଲାଇଟ୍, ୧୯ଟି ଡିଜେଲ୍ ଜେନେରେଟର ସେଟ୍ ଏବଂ ୧୬ଟି ଟ୍ରାଞ୍ଜିଟ୍ ଷ୍ଟୋର୍ ପ୍ରସ୍ତୁତ ରଖାଯାଇଛି।

ଟିପିଏସ୍ଓଡିଏଲ୍ ଅଧୀନରେ ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଏହି ପ୍ରସ୍ତୁତି କରାଯାଇଛି। ଏଥିସହ ଅତିରିକ୍ତ ୮୦୦ ଜଣ ପ୍ରୋଜେକ୍ଟ କର୍ମଚାରୀ ଏବଂ ଆବଶ୍ୟକ ସମୟରେ ଯୋଗଦେବା ପାଇଁ ଆଉ ୪୦୦ ଜଣଙ୍କୁ ଷ୍ଟାଣ୍ଡବାଇ ରଖାଯାଇଛି।ବିଦ୍ୟୁତ ଭିତ୍ତିଭୂମିର କ୍ଷତି ହେଲେ ତୁରନ୍ତ ମରାମତି ପାଇଁ ୩୦ଟି ପାୱାର ଟ୍ରାନ୍ସଫର୍ମର, ୧୭୬ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ସହ ବିପୁଳ ପରିମାଣର କେବୁଲ୍ ଓ ବିଦ୍ୟୁତ ସାମଗ୍ରୀ ମହଜୁଦ ରଖାଯାଇଛି। ବ୍ରହ୍ମପୁରର ଆମ୍ବଗଡ଼ଠାରେ ଥିବା କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କେନ୍ଦ୍ର ସମେତ ଜୟପୁର, ରାୟଗଡ଼ା ଓ ଭଞ୍ଜନଗରରେ ଥିବା ନିୟନ୍ତ୍ରଣ କେନ୍ଦ୍ର ମାଧ୍ୟମରେ ୨୪ ଘଣ୍ଟିଆ ତଦାରଖ କରାଯିବ।

ଟିପିଏସ୍ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ଭଳି ପରିସ୍ଥିତିରେ ଗ୍ରାହକଙ୍କ ସୁରକ୍ଷା ଏବଂ ନିରବଚ୍ଛିନ୍ନ ଅତ୍ୟାବଶ୍ୟକୀୟ ସେବା ବଜାୟ ରଖିବା କମ୍ପାନୀର ପ୍ରାଥମିକତା। ଏଥିପାଇଁ ସମସ୍ତ କର୍ମଚାରୀ ଓ ଜରୁରୀକାଳୀନ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି।ବିଦ୍ୟୁତ ସମ୍ବନ୍ଧୀୟ ଅଭିଯୋଗ ଓ ଜରୁରୀକାଳୀନ ସୂଚନା ପାଇଁ ଗ୍ରାହକମାନେ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ୧୯୧୨ କିମ୍ବା ୧୮୦୦ ୨୦୨୬ରେ ଯୋଗାଯୋଗ କରିପାରିବେ।

ଏହାସହ ୯୭୭୭୭୭୪୬୯୯ ନମ୍ବରରେ ମିସ୍‌ଡ କଲ୍ ଦେଇ ମଧ୍ୟ ଅଭିଯୋଗ ପଞ୍ଜୀକରଣ କରିପାରିବେ।ଜନସାଧାରଣଙ୍କ ପାଇଁ ସତର୍କତା: ବାତ୍ୟା ଓ ବର୍ଷା ସମୟରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର, କ୍ଷତିଗ୍ରସ୍ତ ବିଦ୍ୟୁତ ଖୁଣ୍ଟ ଏବଂ ଜଳମଗ୍ନ ଟ୍ରାନ୍ସଫର୍ମରଠାରୁ ଦୂରେଇ ରହିବାକୁ ଟିପିଏସ୍ଓଡିଏଲ୍ ପରାମର୍ଶ ଦେଇଛି।

ଓଦା ହାତରେ ବିଦ୍ୟୁତ ସୁଇଚ୍ ଓ ଉପକରଣ ବ୍ୟବହାର ନକରିବା ସହ ପିଲାମାନଙ୍କୁ ଖୋଲା ବିଦ୍ୟୁତ ତାର ଓ ବନ୍ୟାଜଳଠାରୁ ଦୂରରେ ରଖିବାକୁ ଅନୁରୋଧ କରାଯାଇଛି।