ଗଜପତିରେ ଅର୍ଣ୍ଣବ ବାତ୍ୟାର କରାଳ ରୂପ…..ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ କୃତ୍ରିମ ନଦୀର ସୃଷ୍ଟି, 14271 ଜଣ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତର ।ଗଜପତି, 27/10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗଜପତିରେ ଅର୍ଣ୍ଣବ ବାତ୍ୟାର କରାଳ ରୂପ ଦେଖାଦେଇଛି । ଗତକାଲି ଠାରୁ ଆଜି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ଯୋଗୁଁ କେତେକ ରାସ୍ତା ଉପରେ କୃତ୍ରିମ ନଦୀ ସୃଷ୍ଟି ହୋଇ ସାଧାରଣଙ୍କ ଜୀବନଯାତ୍ରା ବ୍ୟାହାତ ହୋଇଛି. ବର୍ତ୍ତମାନ ଖବର ଲେଖିବା ସୁଦ୍ଧା ମୋଟ 14271 ଜଣ ଲୋକଙ୍କୁ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି. ଅର୍ଣ୍ଣବ ବାତ୍ୟା ପାଇଁ ପାଣିପାଗ ବିଭାଗ ତରଫରୁ ଗଜପତି ଜିଲ୍ଲାକୁ ରେଡ କାଟୋଗାରୀ ସତର୍କତା ଗ୍ରହଣ ପାଇଁ ପୂର୍ବରୁ ସୂଚନା ଦିଆ ଯାଇଥିଲା. ସେଥି ଅନୁଯାୟୀ ଗତକାଲି ଠାରୁ ଲଗାତାର ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ବର୍ଷାର ପରିମାଣ ଅଧିକ ହୋଇଛି । ଯଦ୍ୱାରାକି ଗଜପତି ଜିଲ୍ଲାର ମହେନ୍ଦ୍ରତନୟା ନଦୀ ସମେତ ବିଭିନ୍ନ ପାହାଡ଼ ପର୍ବତରୁ ଜାତ ନଦୀ ଗୁଡିକରେ ଜଳ ସ୍ତର ବିଶେଷ ବୃଦ୍ଧି ପାଇଛି ।ଏଥିସହ ଆଜିର ଅଧିକ ପରିମାଣରେ ବର୍ଷା ଯୋଗୁଁ ମହେନ୍ଦ୍ରଗିରିରେ ପାଦ ଦେଶରେ ଥିବା କଇଁପୁର ଠାରୁ ବୁରଖତ ରାସ୍ତା ପର୍ଯ୍ୟନ୍ତ ଏକ କୃତ୍ରିମ ନଦୀ ସୃଷ୍ଟି ହୋଇ କରାଳ ଓ ପ୍ରବଳ ବେଗରେ ପାଣିର ସ୍ରୋତ ଚାଲୁ ରହିଛି । ଯାହାକି ଅଞ୍ଚଳବାସୀଙ୍କ ଠାରେ ଭୟ ଓ ଆତଙ୍କର କାରଣ ହୋଇଛି । ସେହିପରି ଆର. ଉଦୟଗିରି, ନୂଆଗଡ, ମୋହନା ଆଦି ଅଞ୍ଚଳର କେତେକ ସ୍ଥାନରେ ପାହାଡ଼ରୁ କୃତ୍ରିମ ନାଳ ଜାତ ହୋଇ ରାସ୍ତା ଉପରେ ପ୍ରବାହିତ ହେବା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଜୀବନ ଯାତ୍ରା ଠପ ହୋଇଛି ।
ସେହିପରି ଗୁମ୍ମା, ରାୟଗଡା, ନୂଆଗଡ,ଆର. ଉଦୟଗିରି ଓ ମୋହନା ଆଦି ବ୍ଲକର କେତେକ ସ୍ଥାନରେ ବାତ୍ୟା ଯୋଗୁଁ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା. ଏହାକୁ ଅଗ୍ନିଶମ ବିଭାଗ ଓ ସୁରକ୍ଷା ଦଳଙ୍କ ଦ୍ୱାରା ଅବରୋଧର କିଛି ଘଣ୍ଟା ମଧ୍ୟରେ ଗଛ ଗୁଡିକୁ କାଟି ସଫା କରାଯାଇ ଯାତାୟାତରେ ସୁବିଧା କରାଯାଇଛି. ସମଗ୍ର ଗଜପତି ଜିଲ୍ଲାରେ 281 ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି. ଏଥିରେ ଖବର ଲେଖିବା ସୁଦ୍ଧା 14,271 ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ଖାଦ୍ୟପେୟ ସହ ସମସ୍ତ ସୁବିଧା ପ୍ରଦାନ କରି ରଖା ଯାଇଛି. ମୋଟ 300 ଜଣ ଗର୍ଭବତୀ ମହିଳାଙ୍କୁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅଣାଯାଇ ବିଭିନ୍ନ ଡାକ୍ତରଖାନା, ମା ଗୃହ, ଅଙ୍ଗନବାଡି କେନ୍ଦ୍ର ଆଦିରେ ସମସ୍ତ ସୁବିଧା ପ୍ରଦାନ କରି ସୁରକ୍ଷାରେ ରଖା ଯାଇଛି. ଗଜପତିରେ ବାତ୍ୟା ଅର୍ଣ୍ଣବର କରାଳ ରୂପଜନିତ ବର୍ଷା ପବନ ହୋଇଥିଲେ ମଧ୍ୟ ସେପରି କିଛି ଅଘଟଣ ହୋଇନାହିଁ. ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଗଜପତି ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ବିଜୟ କୁମାର ଦାସଙ୍କ ସମେତ ଜିଲ୍ଲାର ସମସ୍ତ ଅଫିସର, ସରକାରୀ କର୍ମଚାରୀ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସମ୍ପୂର୍ଣ ସଜାଗ ରହି ବାତ୍ୟାଜନିତ ସମସ୍ୟାକୁ ତ୍ବରିତ ସମାଧାନ କରି ଚାଲିଥିବା ଯୋଗୁଁ ଗଜପତି ଜିଲ୍ଲାରେ ସେପରି କୌଣସି ଅସୁବିଧା ଘଟିନାହିଁ ।
