ଗଜପତିରେ ଅର୍ଣ୍ଣବ ବାତ୍ୟା ସ୍ଥିତି ସମୀକ୍ଷା ପାଇଁ ପାଦଚଲାରେ ଗ୍ରାଉଣ୍ଡ ଜିରୋରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ଗଜପତି,28/10ଗଜପତି ଜିଲ୍ଲାରେ ଅର୍ଣ୍ଣବ ବାତ୍ୟାଜନିତ ବିଭିନ୍ନ ସମସ୍ୟା କ୍ଷୟକ୍ଷତି ଓ ତ୍ବରିତ ପଦକ୍ଷେପ ଗ୍ରହଣ ପାଇଁ ଉଚ୍ଚ ଶିକ୍ଷା କ୍ରୀଡା ଓ ଯୁବ ବ୍ୟାପର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଗ୍ରାଉଣ୍ଡ ଜିରୋରେ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରି ଗଜପତି ଜିଲ୍ଲାବାସୀଙ୍କ ବେଶ ନିକଟତର ହୋଇପାରିଥିବା ଦେଖା ଦେଇଛି. ମନ୍ତ୍ରୀ ଶ୍ରୀ ସୂରଜ ଗତକାଲି ଅପରାହ୍ନରେ ପାରଳାଖେମୁଣ୍ଡି ପହଞ୍ଚି ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ସହ ସମସ୍ତ ସମୀକ୍ଷା କରି ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱଆରୋପ କରିଥିଲେ. ଆଜି ସକାଳୁ ମନ୍ତ୍ରୀ ଶ୍ରୀ ସୂରଜ ପାରଳାଖେମୁଣ୍ଡିରୁ ବାହାରି ଗଜପତି ଜିଲ୍ଲାର ରାୟଗଡ, ନୂଆଗଡ, ଆର. ଉଦୟଗିରି ଓ ମୋହନା ଆଦି 4 ଗୋଟି ବ୍ଲକରେ ଗ୍ରାଉଣ୍ଡ ଜିରୋରେ ପାଦଚଲାରେ ପହଞ୍ଚି ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ ।ମନ୍ତ୍ରୀଙ୍କ ଏହି ଅନୁଧ୍ୟାନ ବେଳେ ରାସ୍ତା ଉପରେ ଗଛ ପଡି ଅବରୋଧ ହୋଇଥିବା ନେଇ ତୁରନ୍ତ ଉଦ୍ଧାରକାରୀ ଦଳଙ୍କୁ ଘଟଣା ସ୍ଥଳକୁ ଡକାଇ ଗଛକୁ କାଟି ସଫା କରି ରାସ୍ତା ଅବରୋଧ ହଟାଇଥିଲେ । ସେହିପରି ଏହି 4 ଗୋଟି ବ୍ଲକରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ପରିଦର୍ଶନ କରି ଆଶ୍ରୟ ସ୍ଥଳୀରେ ରହୁଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟପେୟ ଓ ସମସ୍ତ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।
ଏଥିସହ ଶ୍ରୀ ସୂରଜ 4 ଗୋଟି ବ୍ଲକରେ ରହିଥିବା ସମସ୍ତ ସରକାରୀ ଅଧିକାରୀ ଓ ନିୟୋଜିତ ସମସ୍ତ ସୁରକ୍ଷା ଦଳଙ୍କୁ ସାକ୍ଷାତ କରି ବାତ୍ୟାଜନିତ ସମସ୍ତ ଉଦ୍ଧାର କାର୍ଯ୍ୟକୁ ତ୍ବରିତ ପଦକ୍ଷେପ ଗ୍ରହଣ କରି ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ ।
