*ଗଜପତି ଜିଲ୍ଲାର ୧୪ ବର୍ଷରୁ କମ୍ ବାଳକ ଦଳ ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନ୍ ।
ଗଜପତି,18.10 (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ୧୪ ବର୍ଷରୁ କମ୍ ବାଳକ ଦଳ ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନ୍ ହୋଇ ଜିଲ୍ଲାକୁ ଗୌରବାନ୍ୱିତ୍ୱ କରିଛନ୍ତି। ବଲାଙ୍ଗୀରସ୍ଥିତ ପି.ଆର୍. ହାଇସ୍କୁଲ ଇନଡୋର ଷ୍ଟାଡିୟମ୍ରେ ଆୟୋଜିତ ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍-୨୦୨୬ରେ ଏହି ସଫଳତା ହାସଲ କରି ଜିଲ୍ଲାର ଖେଳାଳିମାନେ ନିଜ ପ୍ରତିଭାର ଉତ୍କୃଷ୍ଟ ପରିଚୟ ଦେଇଛନ୍ତି।ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ଜିଲ୍ଲାର କ୍ରୀଡ଼ାପ୍ରେମୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଆନନ୍ଦର ଲହରୀ ସୃଷ୍ଟି ହୋଇଛି। ଏହି ଦଳଗତ ସଫଳତା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିବାକୁ ଶୁଭକାମନା କରିଛନ୍ତି।ସେହିପରି ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ଚାମ୍ପିୟନ୍ ଦଳକୁ ଅଭିନନ୍ଦନ ଜଣାଇବା ସହ ଖେଳାଳିମାନଙ୍କ ନିଷ୍ଠା, ଶୃଙ୍ଖଳା ଓ କଠିନ ପରିଶ୍ରମର ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ସଫଳତା ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଗଜପତି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ମଧ୍ୟ ଚାମ୍ପିୟନ୍ ଦଳର ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ପରିଚାଳକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଦଳର ଏକତା, ନିୟମିତ ଅଭ୍ୟାସ, ଶୃଙ୍ଖଳା ଓ ଦୃଢ଼ ମନୋବଳ ଏହି ସଫଳତାର ମୁଖ୍ୟ ଆଧାର ବୋଲି ସେ ମତବ୍ୟକ୍ତ କରିଛନ୍ତି।ସୂଚନାନୁସାରେ, ଆସନ୍ତା ନଭେମ୍ବର ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସାଗରସ୍ଥିତ ସିଟି ଷ୍ଟାଡିୟମ୍ରେ ୨୦୨୬-୨୭ ଜାତୀୟ ବିଦ୍ୟାଳୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଚାମ୍ପିୟନ୍ ଦଳ ଅଂଶଗ୍ରହଣ କରିବର କାର୍ଯ୍ୟକ୍ରମ ରହିଛି। ରାଜ୍ୟସ୍ତରରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଥିବା ଏହି ଦଳ ଜାତୀୟସ୍ତରରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରି ସଫଳତାର ନୂଆ ଅଧ୍ୟାୟ ରଚିବ ବୋଲି ଜିଲ୍ଲାର ପ୍ରଶାସନିକ ଓ ଶିକ୍ଷା ବିଭାଗର ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି।ଗଜପତି ଜିଲ୍ଲାର ଏହି ରାଜ୍ୟସ୍ତରୀୟ ସଫଳତା ଜିଲ୍ଲାରେ କ୍ରୀଡ଼ାର ବିକାଶକୁ ନୂତନ ଉତ୍ସାହ ପ୍ରଦାନ କରିବା ସହ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
