*ଗୋଷାଣି–ଗୁରାଣ୍ଡି–ପାରଳାଖେମୁଣ୍ଡି ରାସ୍ତାରେ ସିଧାସଳଖ ବସ୍ ସେବା ଦାବି ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ଯାତାୟାତ ସୁବିଧା ପାଇଁ ଗୋଷାଣୀ –ଗୁରାଣ୍ଡି –ପାରଳାଖେମୁଣ୍ଡି ରାସ୍ତାରେ ନିୟମିତ ବସ୍ ଚଳାଚଳ ପାଇଁ ଦାବି ଜୋର ଧରିଛି। ଏହି ରାସ୍ତାରେ ବସ୍ ସେବା ଆରମ୍ଭ କରିବା ଦାବିରେ ବାରମ୍ବାର ଓଡ଼ିଶା ପରିବହନ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ବିଫଳ ହୋଇ ସ୍ଥାନୀୟ ଅଞ୍ଚଳବାସୀ ପଲାସାସ୍ଥିତ ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମର ଡିପୋ ମ୍ୟାନେଜରଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବାରୁ ଆଗାମୀ ଦିନରେ ବସ୍ ସେବା ଆରମ୍ଭ ହେବା ନେଇ ଆଶା ସଞ୍ଚାର ହୋଇଛି।ଗୋଷାଣି ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ବସ୍ କିମ୍ବା ଟ୍ରେନ୍ ଧରିବା ପାଇଁ ପ୍ରାୟ ୪୦ରୁ ୫୦ କିଲୋମିଟର ଦୂର ପଲାସା ଷ୍ଟେସନକୁ ଯାତ୍ରା କରିବାକୁ ପଡୁଛି। ଦୀର୍ଘଦିନର ଦାବି ଓ ସଂଘର୍ଷ ପରେ ଉପଲଡା ଠାରୁ ଗୋଷାଣି ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୭ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟମିତ ବସ୍ ସେବା ଆରମ୍ଭ କରାଯାଇନାହିଁ। ଫଳରେ ରାସ୍ତା ନିର୍ମାଣର ସମ୍ପୂର୍ଣ୍ଣ ସୁଫଳ ଲୋକଙ୍କୁ ମିଳିପାରୁନାହିଁ।ଏହି ସମସ୍ୟାର ସମାଧାନ ପାଇଁ ୨୦୨୪ ମସିହାରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଉକ୍ତ ରାସ୍ତାରେ ବସ୍ ଚଳାଚଳ ଆରମ୍ଭ କରିବାକୁ ଦାବି କରାଯାଇଥିଲା।ବ୍ରହ୍ମପୁର, ନବରଙ୍ଗପୁର, ପାଲାସା ଓ ହାଇଦ୍ରାବାଦ ଭଳି ପ୍ରମୁଖ ସ୍ଥାନକୁ ସିଧା ସଳଖ ବସ୍ ସେବା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି।ଗାରାବନ୍ଧରୁ ହାଇଦ୍ରାବାଦକୁ ପ୍ରତିଦିନ ପ୍ରାୟ ପାଞ୍ଚଟି ଘରୋଇ ରାତ୍ରିକାଳୀନ ବସ୍ ଚଳାଚଳ କରୁଥିବାରୁ ଏହି ରାସ୍ତାରେ ମଧ୍ୟ ବସ୍ ସେବା ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।ଓଡ଼ିଶା ପ୍ରଶାସନ ପକ୍ଷରୁ ଦାବି ପ୍ରତି ଆଶାନୁରୂପ ଗୁରୁତ୍ୱ ପ୍ରଦାନ କରାଯାଇନଥିବାରୁ ଅଞ୍ଚଳବାସୀ ଏବେ ଆନ୍ଧ୍ରପ୍ରଦେଶ ପରିବହନ ନିଗମର ସହଯୋଗ ଲୋଡ଼ିଛନ୍ତି। ଗୋପିଲି ଦେଇ ଗାରାବନ୍ଧ –ଗୋଷାଣି –ଗୁରାଣ୍ଡି –ଉପଲଡ଼ା–ପାରଳାଖେମୁଣ୍ଡି ରାସ୍ତାରେ ଆନ୍ଧ୍ରପ୍ରଦେଶ ସରକାର ପକ୍ଷରୁ ଏହି ରାସ୍ତାରେ ବସ୍ ଚଳାଚଳ ଆରମ୍ଭ କରିବାକୁ ଡିପୋ ମ୍ୟାନେଜରଙ୍କୁ ଭେଟି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ଆଲୋଚନାରେ ସକାରାତ୍ମକ ମନୋଭାବ ପ୍ରକାଶ ପାଇଥିବାରୁ ପରବର୍ତ୍ତୀ ଆଲୋଚନା ପରେ ଏହି ସେବା ଆରମ୍ଭ ହେବ ବୋଲି ପ୍ରତିନିଧିମାନେ ଆଶା କରିଛନ୍ତି।ଓଡ଼ିଶା –ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏହି ଅଞ୍ଚଳର ଲୋକଙ୍କ ଆବଶ୍ୟକତା, ସଂସ୍କୃତି ଓ ଜୀବନ ଜୀବିକା ଦୁଇ ରାଜ୍ୟ ସହ ଜଡ଼ିତ। ହାଇଦ୍ରାବାଦ, ଚେନ୍ନାଇ ଓ କୋଲକାତା ଭଳି ସହରରେ କାମ କରୁଥିବା ଅଞ୍ଚଳର ଅନେକ ଶ୍ରମଜୀବୀ ଓ ଅନ୍ୟ କର୍ମଜୀବୀଙ୍କ ପାଇଁ ଉନ୍ନତ ପରିବହନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ସିଧା ସଳଖ ବସ୍ ସେବା ଆରମ୍ଭ ହେଲେ ଯାତ୍ରୀଙ୍କ ସମୟ ଓ ଅର୍ଥ ସଞ୍ଚୟ ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟବସାୟ ଓ ରୋଜଗାର କ୍ଷେତ୍ରରେ ମଧ୍ୟ ସୁବିଧା ମିଳିପାରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।ଏହି ପଦକ୍ଷେପ ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟ ପରିବହନ ବିଭାଗର ସକାରାତ୍ମକ ମନୋଭାବକୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇବା ସହ ଓଡ଼ିଶା ସରକାର ଓ ଓଡ଼ିଶା ରାଜ୍ୟ ପରିବହନ ନିଗମ ଏହି ଜନସାଧାରଣଙ୍କ ନ୍ୟାୟସଙ୍ଗତ ଦାବିକୁ ଗୁରୁତ୍ୱ ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।ରାସ୍ତା ନିର୍ମାଣ ହେବା ପରେ ମଧ୍ୟ ଯଦି ନିୟମିତ ବସ୍ ଚଳାଚଳ ନହୁଏ, ତେବେ ଅଞ୍ଚଳର ବିକାଶ ହୋଇପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଏଣୁ ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା, ରୋଜଗାରର ସୁଯୋଗ ଓ ଉନ୍ନତ ଜୀବନଜୀବିକା ସହ ଜଡ଼ିତ ଏକ ମୌଳିକ ଆବଶ୍ୟକତା ବୋଲି ସମାଜସେବୀ ସଂଜୟ କୁମାର ରାଉତ ପ୍ରକାଶ କରିଛନ୍ତି।
