*ଗଜପତି ଜିଲ୍ଲାରେ ୧୯ ଜଣ ଡାକ୍ତରଙ୍କର ନିଯୁକ୍ତି, ସ୍ୱାସ୍ଥ୍ୟସେବାରେ ସୁଧାର ଆଶା ।
ଗଜପତି,୧୦।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତିରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ସରକାର ତତ୍ପର ଥିବା ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି କେ. ନାରାୟଣ ରାଓ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଗଜପତି ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଜିଲ୍ଲାକୁ ୧୯ ଜଣ ଡାକ୍ତର ଯୋଗାଇ ଦିଆଯାଇଥିବା ବେଳେ ଖୁବ୍ଶୀଘ୍ର ସେମାନେ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବେ ବୋଲି ଜଣାଇଛନ୍ତି। ଏହାଦ୍ୱାରା ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ମାନ ବୃଦ୍ଧି ପାଇବା ସହ ଗ୍ରାମାଞ୍ଚଳରେ ଡାକ୍ତର ଅଭାବଜନିତ ସମସ୍ୟା ଅନେକାଂଶରେ ଦୂର ହେବ ବୋଲି ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି କେ. ନାରାୟଣ ରାଓ ଆଶାବ୍ୟକ୍ତ କରିଛନ୍ତି।ଏହି ୧୯ ଜଣ ଡାକ୍ତରଙ୍କ ମଧ୍ୟରୁ ୪ ଜଣ ବିଶେଷଜ୍ଞ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପାଇବେ। ଅନ୍ୟ ଡାକ୍ତରମାନେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେବେ। ଫଳରେ ଜିଲ୍ଲାର ଦୁର୍ଗମ ଓ ଗ୍ରାମାଞ୍ଚଳରେ ମଧ୍ୟ ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ମିଳିପାରିବ।ଏନେଇ ଶ୍ରୀ ରାଓ କହିଛନ୍ତି ଯେ, ସେ ବିଧାୟକ ଥିବା ସମୟ ଠାରୁ ଏବେ ପର୍ୟ୍ୟନ୍ତ ଗଜପତି ଜିଲ୍ଲାରେ ଡାକ୍ତର ଅଭାବ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ଉଠାଇବା ସହ ବିଧାନସଭାରେ ମଧ୍ୟ ପ୍ରଶ୍ନ କରିଥିଲେ। ତେବେ ତତ୍କାଳୀନ ବିଜେଡି ସରକାର ଏହି ସମସ୍ୟା ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଇନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।ବର୍ତ୍ତମାନର ସରକାର ଗଜପତି ଜିଲ୍ଲାର ସ୍ୱାସ୍ଥ୍ୟସେବା ସମସ୍ୟା ପ୍ରତି ଗୁରୁତ୍ୱ ଦେଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ସେ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲାରେ ଡାକ୍ତର ଅଭାବ ସମ୍ପର୍କରେ ଅବଗତ କରାଇଥିବା କହିଛନ୍ତି।ଆଗାମୀ ଦିନରେ ଆହୁରି ଅଧିକ ଡାକ୍ତର ନିଯୁକ୍ତି ଦେଇ ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଓ ଆଶା ପ୍ରକାଶ କରିଛନ୍ତି।ଗଜପତି ଜିଲ୍ଲାକୁ ୧୯ ଜଣ ଡାକ୍ତର ଯୋଗାଇ ଦେଇଥିବାରୁ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଯାଇଛି।ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର ଓ ପାରଳା ସହର ମଣ୍ଡଳ ସଭାପତି ବାଳକୃଷ୍ଣ ପାତ୍ରଙ୍କ ସମେତ ଅନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
