ଗୁହାଳରେ ବଳଦ ବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ l

ଗୁହାଳରେ ବଳଦ ବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ l

-ଗୁହାଳରେ ବଳଦ ବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ l

ଗଜପତି,୨୦.୯(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।