*ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର: ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ।
ଗଜପତି,୧୭.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ମୁଟାଗୁଡ଼ା ସଉରା ସାହିରେ ଗୁଣିଗାରେଡି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା ମାମଲାରେ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ହର ପ୍ରସାଦ ପଟ୍ଟନାୟକ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।ଦୋଷୀ ସାବ୍ୟସ୍ତ ୧୨ ଜଣ ହେଲେ ଜୋସୁଆ ଗମାଙ୍ଗ, ବେଞ୍ଜାମିନ ଗମାଙ୍ଗ, ସଞ୍ଜୟ ଗମାଙ୍ଗ, ଅଭିମନ୍ୟୁ ରାଇକା, କାନ୍ଦ୍ରା ଗମାଙ୍ଗ, ମିଖାଇଲ ଗମାଙ୍ଗ, ସେତୋ ରାଇକା, ଜିରିମିୟ ରାଇକା, ଆବ୍ରାହାମ ବଡ଼ରଇତ, ଜୁନେସ ରଇତ, କୁରା ରଇତ ଓ ସୋମନାଥ ଗମାଙ୍ଗ।ମାମଲା ଅନୁଯାୟୀ, ୨୦୨୧ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ ମୃତକ ଲୁକ ଦଳବେହେରାଙ୍କୁ ଅଭିଯୁକ୍ତମାନେ ଘରୁ ଡାକି ନେଇ ଗୁଣିଗାରେଡି କରୁଥିବା ଅଭିଯୋଗରେ ପଚରାଉଚରା କରିଥିଲେ। ପରେ ତାଙ୍କ ପୁଅ ଅନୁକ ଦଳବେହେରାଙ୍କୁ ମଧ୍ୟ ଡାକି ନିଆଯାଇଥିଲା। ରାତିରେ ବାପ-ପୁଅଙ୍କୁ ଗାଁ ମୁଣ୍ଡକୁ ନେଇ ହତ୍ୟା କରାଯାଇଥିଲା।ଘଟଣା ପରେ ୧୩ ଜୁନ୍ ୨୦୨୧ରେ ଅଡ଼ବା ଥାନାରେ ମାମଲା ନମ୍ବର ୬୩/୨୧ ରୁଜୁ ହୋଇଥିଲା। ତତ୍କାଳୀନ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲେ। ୨୩ ଜଣ ସାକ୍ଷୀଙ୍କ ବୟାନ ଓ ୨୭ଟି ଦସ୍ତାବିଜକୁ ଆଧାର କରି ଅଦାଲତ ଏହି ରାୟ ଦେଇଛନ୍ତି।ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ସରୋଜ କୁମାର ରଥ ମାମଲା ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଦେବ ମିସ୍ତ୍ରୀଙ୍କ ବିଚାର ଅଲଗା ଭାବେ ଚାଲିଥିବା ଜଣାପଡିଛି।
