*କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ।*
ଗଜପତି,୯.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଧବାର ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ସହିତ ଚିକିତ୍ସାଳୟର ବିଭିନ୍ନ ସମସ୍ୟା, ଭିତ୍ତିଭୂମିର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ଅବସରରେ ଚିକିତ୍ସାଳୟରେ ରହିଥିବା ଏକ୍ସ-ରେ ସମ୍ବନ୍ଧୀୟ ଉପକରଣର ମରାମତି କରିବା କିମ୍ବା ଆବଶ୍ୟକ ହେଲେ ନୂତନ ଉପକରଣ ସ୍ଥାପନ କରିବା ପାଇଁ ମେଡିକାଲ ଅଫିସରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହା ଫଳରେ ରୋଗୀମାନେ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାରୁ ମୁକ୍ତି ପାଇବା ସହିତ ଚିକିତ୍ସାଳୟରେ ହିଁ ଆବଶ୍ୟକ ପରୀକ୍ଷା ସୁବିଧା ପାଇପାରିବେ ବୋଲି ଆଲୋଚନା ହୋଇଥିଲା।ବୈଠକରେ ଉପସ୍ଥିତ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ରୋଗୀମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ।ବିଧାୟକ କହିଥିଲେ ଯେ, ସ୍ଥାନୀୟ ଲୋକଙ୍କ ପାଇଁ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କେନ୍ଦ୍ର ଅଟେ। ଏଣୁ ଏଠାରେ ରୋଗୀମାନେ ଉତ୍ତମ ଚିକିତ୍ସା ସେବା, ଆବଶ୍ୟକ ପରୀକ୍ଷା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ପାଇବା ନିଶ୍ଚିତ କରିବାର ଆବଶ୍ୟକତା ରହିଛି। ଚିକିତ୍ସାଳୟରେ ଯେଉଁ ସମସ୍ୟା ରହିଛି, ସେଗୁଡ଼ିକୁ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।ବୈଠକରେ ରୋଗୀ କଲ୍ୟାଣ ସମିତିର ବିଭିନ୍ନ କାର୍ଯ୍ୟକଳାପ, ଚିକିତ୍ସାଳୟର ଉପଲବ୍ଧ ସୁବିଧା ଓ ଭବିଷ୍ୟତରେ ରୋଗୀ ସେବାକୁ ଆହୁରି ଉନ୍ନତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ରୋଗୀମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଆବଶ୍ୟକ ପଦକ୍ଷେପ ନେବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ସାମଗ୍ରିକ ବିକାଶ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମତ ପ୍ରକାଶ ପାଇଥିଲା।ଏହି ବୈଠକରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା, କାଶୀନଗର ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, ମେଡିକାଲ ଅଫିସର୍ ଇନ୍ ଚାର୍ଜ ଡା. ସଂଗ୍ରାମ ଶେଖରୀ ନାୟକ, ଡା. ସଚ୍ଚିକାନ୍ତ ମହାପାତ୍ର (ଏମ୍ଓ, ଆୟୁଷ), ସବିତା କୁମାରୀ ନାୟକ (ବିପିଏମ୍), ଶିବ ପ୍ରସାଦ ପାଣିଗ୍ରାହୀ (ଏସ୍ଟିଏସ୍)ଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ ରୋଗୀ କଲ୍ୟାଣ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।
