*ଜାତୀୟ ସ୍ତରରେ ସମ୍ମାନିତ ହେବେ ଶିକ୍ଷାଅଧିକାରୀ ଡ଼. ମାୟାଧର ସାହୁ।
ଗଜପତି, ୨୮.୮(ମନୋଜ ପାଢ଼ୀ) :-: ଶିକ୍ଷା କ୍ଷେତ୍ରରେ ନବସୃଜନ, ଉତ୍କର୍ଷତା ଓ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି।ନୂଆଦିଲ୍ଲୀ ସ୍ଥିତ “ଜାତୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ” ପକ୍ଷରୁ ଶିକ୍ଷା କ୍ଷେତ୍ରରେ ନୂତନତ୍ବର ପ୍ରୟୋଗ ଏବଂ ଉଚ୍ଚକୋଟୀର ଅଭ୍ୟାସ ପାଇଁ ଏହି ସମ୍ମାନ ପ୍ରଦାନ ନିମନ୍ତେ ଡ଼. ମାୟାଧର ସାହୁ ମନୋନୀତ ହୋଇଛନ୍ତି।ଗଜପତି ଜିଲ୍ଲାରେ ଶିକ୍ଷାର ମାନବୃଦ୍ଧି ସମେତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଗତି ଏବଂ ବିଶେଷକରି ‘ପ୍ରୟାସ’ କାର୍ଯ୍ୟକ୍ରମ ମାଧ୍ୟମରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳରେ ଏ-୧ ହାସଲ କରିବା ଏବଂ ଲଗାତାର ଭାବେ ଗତ ଦୁଇ ବର୍ଷ ଧରି ଓଡ଼ିଶାରେ ଗଜପତି ଜିଲ୍ଲା ସର୍ବଶ୍ରେଷ୍ଠ ପାସ ହାର ରଖି ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ତାଙ୍କର ନେତୃତ୍ୱ ଓ ପ୍ରୟାସ ଉଲ୍ଲେଖନୀୟ ଅଟେ।ଅନ୍ୟପକ୍ଷରେ ଶିକ୍ଷକମାନଙ୍କର ସମନ୍ୱିତ ପ୍ରୟାସ, ନିୟମିତ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଅଗ୍ରଗତିର ନିରୀକ୍ଷଣ ଓ ଫଳାଫଳମୁଖୀ ଶିକ୍ଷା ପଦ୍ଧତି ମାଧ୍ୟମରେ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଦିଗଦର୍ଶନ ସୃଷ୍ଟି କରିବାରେ ଡ଼. ମାୟାଧର ସାହୁଙ୍କ ଭୂମିକା ପ୍ରଶଂସନୀୟ।ଏନଆଇଆଇପିଏ ପକ୍ଷରୁ ଜାରି ପତ୍ରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁଙ୍କୁ ଓଡ଼ିଶାରୁ ମନୋନୀତ କରାଯାଇଛି।ଏହି ପରିପ୍ରେକ୍ଷୀରେ ଗତ ଡିସେମ୍ବର ମାସରେ ଡ଼. ମାୟାଧର ସାହୁ ପ୍ରଦାନ କରିଥିବା ଏକ ସାକ୍ଷାତକାର ଏବଂ ଶିକ୍ଷା କ୍ଷେତ୍ରରେ ନିଜର ସୃଜନ ଚିନ୍ତା ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ଯୋଗୁଁ ସମଗ୍ର ଦେଶରେ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ବିବେଚିତ ହୋଇ ପାରିଛନ୍ତି।ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଏବଂ ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଉନ୍ନତି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇ ପାରିଛି । ଜାତୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ, ନୂଆଦିଲ୍ଲୀ ପକ୍ଷରୁ ଆସନ୍ତା ୨ ଓ ୩ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ହେବାକୁ ଥିବା ଜାତୀୟ ସମ୍ମିଳନୀ ଓ ପୁରସ୍କାର ପ୍ରଦାନ ସମାରୋହରେ ଡ଼ଃ ମାୟାଧର ସାହୁଙ୍କୁ ପୁରସ୍କାର ସମେତ ପ୍ରଶଂସାପତ୍ର ପ୍ରଦାନ କରାଯିବ।ଏହି ଜାତୀୟ ସ୍ୱୀକୃତି ଗଜପତି ଜିଲ୍ଲାର ଶିକ୍ଷା ବିଭାଗ, ଶିକ୍ଷକ ସମାଜ ଓ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ତାଙ୍କର ଏହି ସଫଳତା ଆଗାମୀ ଦିନରେ ଗଜପତି ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବାରେ ବିଶେଷ ସହାୟକ ହେବ।
