ୟୁ.ଜି.ଏମ୍.ଆଇ.ଟି.ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ୟୁ.ଜି.ଏମ୍.ଆଇ.ଟି.ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ୟୁ.ଜି.ଏମ୍.ଆଇ.ଟି.ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡ଼( ଇନ୍ଫୋ ମିଡିଆ ) ଭାରତର ୮୦ତମ ସ୍ୱାଧୀନତା ଦିବସ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ (ୟୁ.ଜି.ଏମ୍.ଆଇ.ଟି.), ରାୟଗଡ଼ ପରିସରରେ ଦେଶପ୍ରେମ, ଉତ୍ସାହ ଓ ଗରିମାମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।ଏହି ପବିତ୍ର ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ତ୍ରିରଙ୍ଗା ପତାକା ପ୍ରତି ସମ୍ମାନ ଜ୍ଞାପନ କରାଯାଇଥିଲା। ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରି ଦେଶର ସ୍ୱାଧୀନତା ପାଇଁ ଅମର ତ୍ୟାଗ ଓ ବଳିଦାନ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ।ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନିଲ କୁମାର ପାତ୍ର , ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଳ୍ପକେନ୍ଦ୍ର, ରାୟଗଡର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଏବଂ ପୁରାତନ ଛାତ୍ର ସଂଘର ସଚିବ ଶ୍ରୀଯୁକ୍ତ ସବ୍ୟସାଚୀ ସାହୁ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ, ଦେଶର ଅଗ୍ରଗତି ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ନିଜ ନିଜର ମତ ପ୍ରକାଶ କରିଥିଲେ।ବକ୍ତାମାନେ କହିଥିଲେ ଯେ, ସ୍ୱାଧୀନତା କେବଳ ଏକ ଅଧିକାର ନୁହେଁ, ଏହା ଏକ ମହାନ ଦାୟିତ୍ୱ ମଧ୍ୟ। ଦେଶର ଅଖଣ୍ଡତା, ଏକତା, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରତ୍ୟେକ ନାଗରିକ ନିଜ କର୍ତ୍ତବ୍ୟକୁ ସଚ୍ଚୋଟତା ଓ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ। ବିଶେଷକରି ଛାତ୍ରଛାତ୍ରୀମାନେ ଜ୍ଞାନ, ଶୃଙ୍ଖଳା, ଚରିତ୍ର, ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗ ମାଧ୍ୟମରେ ଏକ ସଶକ୍ତ ଓ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବାକୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଅନୁଷ୍ଠାନ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ଅମର ଅବଦାନକୁ ସ୍ମରଣ କରାଯାଇଥିଲା। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ମଧୁବାବୁଙ୍କର ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।ସ୍ୱାଧୀନତା ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ଏକତା, ଶୃଙ୍ଖଳା, ଦେଶ ପ୍ରତି କର୍ତ୍ତବ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା।ଏହି ଅବସରରେ ସମଗ୍ର ଅନୁଷ୍ଠାନ ପରିସର “ଜୟ ହିନ୍ଦ୍”, “ବନ୍ଦେ ମାତରମ୍” ଓ “ଭାରତ ମାତା କୀ ଜୟ” ଧ୍ୱନିରେ ମୁଖରିତ ହୋଇଥିଲା। ଉତ୍ସବଟି ସମସ୍ତଙ୍କ ମନରେ ଦେଶପ୍ରେମ ଓ ଜାତୀୟ ଗର୍ବର ଭାବନାକୁ ଆହୁରି ଦୃଢ଼ କରିଥିଲା।ସର୍ବଶେଷରେ ଶ୍ରୀ ଜ୍ୟୋତି ପ୍ରକାଶ ଗିରି ଉପସ୍ଥିତ ମୁଖ୍ୟ ଅତିଥି, ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ