*ମହାଆଡମ୍ବରରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ୮୦ତମ ସ୍ବାଧୀନତା ଦିବସ*
ପାରଳାଖେମୁଣ୍ଡି:-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ୮୦ ତମ ସ୍ବାଧୀନତା ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଗଜପତି,୧୫.୮(ମନୋଜ ପାଢ଼ୀ)-:ଉତ୍ସବରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଏଥି ସହିତ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବା ସହ ପୂର୍ବରୁ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ତଥା ପ୍ୟାରେଡରେ ଭାଗ ନେଇଥିବା ଦଳଙ୍କୁ ପୁରସ୍କୃତ କରିଥିଲେ। ପ୍ୟାରେଡରେ ମୋଟ ୨୩ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ବରିଷ୍ଠ ବର୍ଗରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନସିସି ବାହିନୀ ପ୍ରଥମ ଓ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ନାଭାଲ ବାହିନୀ ଦ୍ୱିତୀୟ, ସିଭିଲିଆନ ବର୍ଗରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାଳକ ବିଭାଗ ପ୍ରଥମ ସ୍ଥାନ ଓ ସେଣ୍ଟ ଯୋଶେଫ୍ ଇଂରାଜୀ ମିଡିୟମ ବିଦ୍ୟାଳୟର ବାଳକ ବିଭାଗ ଦ୍ୱିତୀୟ ସ୍ଥାନ ହାସଲ କରି ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ। ପ୍ୟାରେଡ କାର୍ଯ୍ୟକ୍ରମକୁ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଅଭିରାମ ଖଟୁଆ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳଶ୍ରୀଯୁକ୍ତ ଅକ୍ଷୟ ସୁନୀଳ ଅଗ୍ରୱାଲ,ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ କେ. ନାଗରାଜୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପହଲ୍ଲାଦ ସହାୟ ମୀନା ପ୍ରମୁଖ ଯୋଗ ଦେଇଥିଲେ।ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋର ୪:୩୦ ମିନିଟ୍ ସମୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସାରା ସହର ରାମଧୂନରେ ଗୁଞ୍ଜରିତ ହୋଇଥିଲା।ସକାଳ ଛ’ ଘଣ୍ଟା ସମୟରେ ସ୍ଥାନୀୟ ବୁଦ୍ଧିଜୀବୀ, ସରକାରୀ କର୍ମଚାରୀ ଓ ନେତୃବୃନ୍ଦଙ୍କ ଦ୍ଵାରା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଗଜପତି ଷ୍ଟାଡିୟମଠାରେ ଜାତୀୟ ପତାକା ଉତ୍ତୋଳନ ପରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପରେ ମନ୍ତ୍ରୀ ମହୋଦୟ ଜିଲ୍ଲା ମୁଖ୍ୟ କାରାଗାରରେ ଥିବା ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।ସେହିପରି ଡ଼ାକ୍ତରଖାନାର ଚିକିତ୍ସାଧୀନ ଅନ୍ତେବାସୀ ଓ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ଓ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଉତ୍ସବରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
