ଦକ୍ଷିଣ ଓଡ଼ିଶାର ସୌର ଯାତ୍ରାକୁ ସାକାର ରୂପ ଦେଉଛି ପିଏମ୍ ସୂର୍ଯ୍ୟ ଘର ଯୋଜନା

ଦକ୍ଷିଣ ଓଡ଼ିଶାର ସୌର ଯାତ୍ରାକୁ ସାକାର ରୂପ ଦେଉଛି ପିଏମ୍ ସୂର୍ଯ୍ୟ ଘର ଯୋଜନା

ଦକ୍ଷିଣ ଓଡ଼ିଶାର ସୌର ଯାତ୍ରାକୁ ସାକାର ରୂପ ଦେଉଛି ପିଏମ୍ ସୂର୍ଯ୍ୟ ଘର ଯୋଜନା • ରୁଫ୍ ଟପ ସୋଲାର ପାଲଟିଛି ଲୋକଙ୍କ ପ୍ରଥମ ପସନ୍ଦ•ରୁଫ୍ ଟପ ସୋଲାର ସ୍ଥାପନରେ ଗଞ୍ଜାମ ସାରା ରାଜ୍ୟରେ ଦ୍ୱିତୀୟ ବ୍ରହ୍ମପୁର: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରି ଅଧିକରୁ ଅଧିକ ପରିବାର ଏବେ ସ୍ୱଚ୍ଛ ଶକ୍ତିକୁ ଆପଣାଉଛନ୍ତି । ଏହି ଯାତ୍ରାର ଅଭୂତପୂର୍ବ ସଫଳତା ଏବେ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳିଛି । ନିରନ୍ତର ଉପଭୋକ୍ତା ସଚେତନତା ଏବଂ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଦ୍ୱାରା ନିରବଚ୍ଛିନ୍ନ କ୍ରିୟାନ୍ୱୟନ ଦ୍ୱାରା ଏହି ଯୋଜନା ଏବେ ଉପଭୋକ୍ତାଙ୍କୁ ସୌର ଶକ୍ତିକୁ ଆପଣାଇବା ପାଇଁ ପ୍ରୋତ୍ସାହିତ କରୁଛି । ଯାହା ଏକଦା ଏକ ମହଙ୍ଗା ବିକଳ୍ପ ଭାବରେ ବିବେଚନା କରାଯାଉଥିଲା, ତାହା ବର୍ତ୍ତମାନ ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହି ଯୋଜନା ଏବେ ବିଦ୍ୟୁତ ବିଲ୍ ହ୍ରାସ କରିବା ପାଇଁ ଏକ ବ୍ୟାବହାରିକ, ସୁଲଭ ଏବଂ ଦୀର୍ଘକାଳୀନ ସମାଧାନ ଭାବରେ ଉଭା ହେଉଛି । ସୌର ପ୍ୟାନେଲ ସ୍ଥାପନକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଆଗ୍ରହ ଏବେ ଟିପିଏସ୍ଓଡିଏଲ୍ ସେବା ଯୋଗାଉଥିବା ଅଞ୍ଚଳରେ ପରିଲକ୍ଷିତ ହୋଇଛି । ଅଦ୍ୟାବଧି ମୋଟ ୫୪,୩୯୦ ପରିବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଆବେଦନ କରିଛନ୍ତି । ତନ୍ମଧ୍ୟରୁ ୨୨,୨୪୨ ପରିବାର ଏହି ଯୋଜନା ଅଧୀନରେ ନିଜ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିସାରିଛନ୍ତି । ସେହିଭଳି ୟୁଟିଲିଟି ଲେଡ୍ ଏଗ୍ରିଗେସନ୍ ତଥା ୟୁଏଲ୍ଏ ମଡେଲ ମାଧ୍ୟମରେ ମୋଟ ୧୨,୭୪୩ ଉପଭୋକ୍ତା ସୌର ପ୍ୟାନେଲ ସ୍ଥାପନ କରିଛନ୍ତି । ଏହି ଯୋଜନାର ଲାଭ ପାଇଥିବା ଉପଭୋକ୍ତା ରଞ୍ଜିତାସେଠୀ କହିଛନ୍ତି । “ଆମର ଯେହେତୁ ଏକ ବଡ଼ ଯୌଥ ପରିବାର ସେହି କାରଣରୁ ଆମର ବିଦ୍ୟୁତ ଖର୍ଚ୍ଚ ଅଧିକ ଥିଲା । ଟିପିଏସ୍ଓଡିଏଲର ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବାବଦରେ ଜାଣିବାକୁ ପାଇଲି । ଏହାପରେ ଟିପିଏସ୍ଓଡିଏଲର ସହଯୋଗରେ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିଲି । ଏଥିସହିତ ସରକାରୀ ସବସିଡି ସମୟରେ ପାଇବା ସାଙ୍ଗକୁ ବର୍ତ୍ତମାନ ମୋର ମାସିକ ବିଜୁଳି ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି । ମୁଁ ପ୍ରତ୍ୟେକ ପରିବାରକୁ ସୌର ଶକ୍ତି ଗ୍ରହଣ କରିବାକୁ କହିବି । ଯାହା ସୁଲଭ, ସ୍ଥାୟୀ ଏବଂ ପରିବେଶ ଅନୁକୂଳ ମଧ୍ୟ” । ଏହି ଯୋଜନାର ଲାଭ ପାଇଥିବା ଉପଭୋକ୍ତା ରଞ୍ଜିତାସେଠୀ କହିଛନ୍ତି ।ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୪,୨୭୮ଟି ସୌର ପ୍ୟାନେଲ ସ୍ଥାପନ ହୋଇଛି । ଯାହା ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲାକୁ ଦ୍ୱିତୀୟ ସ୍ଥାନରେ ରଖିଛି । ସେହିଭଳି ଗଜପତି ଜିଲ୍ଲାରେ ୧୪୯୨, ନବରଙ୍ଗପୁରରେ ୧୩୨୮, ରାୟଗଡ଼ାରେ ୧୪୫୨, ବୌଦ୍ଧରେ ୧,୦୮୭, କୋରାପୁଟରେ ୧,୧୬୯, ମାଲକାନଗିରିରେ ୭୧୪ ଏବଂ କନ୍ଧମାଳରେ ୬୪୯ ଟି ରୁଫ୍ ଟପ୍ ସୋଲାର ସ୍ଥାପନ ହୋଇଛି । ଯାହା ଉଭୟ ସହରାଞ୍ଚଳ ଏବଂ ଗ୍ରାମୀଣ ସମୁଦାୟଙ୍କ କ୍ଷେତ୍ରରେ ଅକ୍ଷୟ ଶକ୍ତିର ଗ୍ରହଣୀୟତାକୁ ଦର୍ଶାଉଛି ।ଏହି ସୌର ଯାତ୍ରା ପଛରେ ଟିପିଏସ୍ଓଡିଏଲର ୟୁଏଲ୍ଏ ମଡେଲ ଏକ ମୁଖ୍ୟ ଭୂମିକା ନିର୍ବାହ କରୁଛି । ଯାହା ସୌର ପ୍ୟାନେଲ ସ୍ଥାପନକୁ ଅଧିକ ସହଜ, ସୁଗମ ଏବଂ ସୁଲଭ କରିଛି । ଏହି ଯୋଜନା ମାଧ୍ୟମରେ ଉପଭୋକ୍ତାମାନେ ୧କିଲୋୱାଟର ସୌର ପ୍ୟାନେଲ ମାତ୍ର ₹୧୮୭୫ ରେ ପାଇ ପାରୁଛନ୍ତି । ସେହିଭଳି ୨କିଲୋୱାଟର ସୌର ପ୍ୟାନେଲ ସ୍ଥାପନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ୧ଲକ୍ଷ ୧୦ହଜାର ଟଙ୍କାର ସରକାରୀ ସବସିଡି ମିଳୁଥିବା ବେଳେ ୩କିଲୋୱାଟର ସୌର ପ୍ୟାନେଲ ସ୍ଥାପନରେ ୧ଲକ୍ଷ ୩୮ହଜାର ଟଙ୍କାର ସବସିଡି ମିଳୁଛି । ଏହି କ୍ରମରେ ସାରା ଦେଶରେ ରାଜ୍ୟ ସରକାର ଦେଉଥିବା ସରକାରୀ ସବସିଡି ସର୍ବାଧିକ ମଧ୍ୟ ଅଟେ । ଏହି ଉତ୍ସାହଜନକ ପ୍ରତିକ୍ରିୟା ମଧ୍ୟ ଉପଭୋକ୍ତାଙ୍କ ସୌର ଶକ୍ତିକୁ ନେଇ ବଦଳୁଥିବା ମାନସିକତାକୁ ପ୍ରତିଫଳିତ କରେ । ଯାହା ଛାତ ଉପରେ ସୌର ପ୍ୟାନେଲ ସ୍ଥାପନରେ ଏକ ସ୍ମାର୍ଟ ବିନିଯୋଗ ଭାବରେ ଦେଖାଦେଇଛି । ସୌର ଶକ୍ତି ସ୍ଥାପନ ଫଳରେ ଦୀର୍ଘକାଳୀନ ଆର୍ଥିକ ସଞ୍ଚୟ, ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଏବଂ ପରିବେଶ ସୁରକ୍ଷା ଆଦି ସମ୍ଭବପର ହୋଇପାରିଥାଏ । ନିରନ୍ତର ସଚେତନତା ଅଭିଯାନ, ଉପଭୋକ୍ତା ଯୋଗଦାନ କାର୍ଯ୍ୟକ୍ରମ ଏବଂ ସରଳୀକୃତ ସ୍ଥାପନ ପ୍ରକ୍ରିୟା ମାଧ୍ୟମରେ ଟିପିଏସ୍ଓଡିଏଲ୍ ସମଗ୍ର ଦକ୍ଷିଣ ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ବ୍ୟାପକ ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ଜାରି ରଖିଛି । ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ପିଏମ୍ ସୂର୍ଯ୍ୟ ଘର ଯୋଜନା ପ୍ରତି ଲୋକଙ୍କ ବର୍ଦ୍ଧିତ ପ୍ରତିକ୍ରିୟା ଉତ୍ସାହଜନକ ଅଟେ । ଅଧିକ ପରିବାର ସ୍ୱୀକାର କରୁଛନ୍ତି ଯେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କେବଳ ସ୍ୱଚ୍ଛ ଶକ୍ତିରେ ବିନିଯୋଗ ନୁହେଁ ବରଂ ଦୀର୍ଘକାଳୀନ ସଞ୍ଚୟ ଏବଂ ଶକ୍ତି ସ୍ୱାଧୀନତା ସୃଷ୍ଟି କରେ । ଆମର ସଚେତନତା ପଦକ୍ଷେପ ଏବଂ ୟୁଟିଲିଟି-ଲେଡ୍ ଏଗ୍ରିଗେସନ ମଡେଲ (ୟୁଏଲ୍ଏ) ମାଧ୍ୟମରେ, ଆମେ ସୌରଶକ୍ତିକୁ ସରଳ, ସୁଲଭ ଏବଂ ପ୍ରତ୍ୟେକ ଯୋଗ୍ୟ ପରିବାର ପାଇଁ ଉପଲବ୍ଧ କରୁଛୁ । ଦକ୍ଷିଣ ଓଡ଼ିଶାରେ ଏହି ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ” ।ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ରୁଫ୍ ଟପ ସୋଲାରର ବର୍ଦ୍ଧିତ ଗ୍ରହଣୀୟତା ଗ୍ରାହକଙ୍କ ସାମୂହିକ ପ୍ରୟାସ, ସରକାରୀ ସହାୟତା ଏବଂ ଟିପିଏସ୍ଓଡିଏଲର ନିରନ୍ତର ସୁବିଧାକୁ ପ୍ରତିଫଳିତ କରୁଛି । ପ୍ରତ୍ୟେକ ନୂତନ ସ୍ଥାପନ ସହିତ, ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ସ୍ୱଚ୍ଛ ଏବଂ ସବୁଜ ଶକ୍ତିର ଯାତ୍ରାକୁ ଆହୁରି ମଜଭୁତ କରୁଛି । ଏଥିସହିତ ଏକ ସବୁଜ, ଦୀର୍ଘସ୍ଥାୟୀ ଓ ଶକ୍ତି-ସୁରକ୍ଷିତ ଭବିଷ୍ୟତ ପାଇଁ ଯୋଗଦାନ କରୁଛି ।