ସୋନପୁର ପୁଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ମୂଲ୍ୟ ପ୍ରାୟ ୧୩ କୋଟି

ସୋନପୁର ପୁଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ମୂଲ୍ୟ ପ୍ରାୟ ୧୩ କୋଟି

ସୋନପୁର ପୁଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ମୂଲ୍ୟ ପ୍ରାୟ ୧୩ କୋଟି

ସୋନପୁର: “ନିଶାମୁକ୍ତ ଓଡ଼ିଶା ଅଭିଯାନ” ଅଧୀନରେ ସୋନପୁର ପୁଲିସକୁ ମିଳିଛି ବଡ଼ ସଫଳତା। ସୁବଳୟା ଥାନା ପୁଲିସ ଏକ ଟ୍ରକ୍‌ରେ ଚାଲାଣ ହେଉଥିବା ୧୨ କ୍ୱିଣ୍ଟାଲ ୫୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୩ କୋଟି ଟଙ୍କା ବୋଲି ଜଣାପଡ଼ିଛି।ସୁବଳୟା ଥାନା ଅଞ୍ଚଳ ଦେଇ ଏକ ଟ୍ରକ୍‌ରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ଟିମ୍ ତତ୍କ୍ଷଣାତ୍ ଚଢ଼ାଉ ପାଇଁ ଯୋଜନା କରିଥିଲା।ପୁଲିସର ଉପସ୍ଥିତି ଜାଣିପାରି ଟ୍ରକ୍ ଚାଳକ ସମେତ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ପୁଲିସ ଟ୍ରକ୍‌ଟିକୁ ଜବତ କରିବା ସହ ଗଞ୍ଜେଇ ଜବତ କରିଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତନାଘନା ଜାରି ରହିଛି।ଏହି ଘଟଣାକୁ ନେଇ ସୁବଳୟା ଥାନାରେ ମାମଲା ରୁଜୁ ହୋଇଛି। ଏତେ ବଡ଼ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଥିଲା, କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।ସୋନପୁର ପୁଲିସର ଏହି ବଡ଼ ସଫଳତା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୋନପୁର ଏସ୍‌ପି ଶ୍ରୀ ନାରାୟଣ ନାୟକ ଏବଂ ତାଙ୍କ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।ସୋନପୁର ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ନିଶା ବିରୋଧୀ ଅଭିଯାନକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।