ସେମିଳିଗୁଡାରେ ବଡ଼ ଧରଣର ନିଶା ଇଞ୍ଜେକ୍ସନ ଜବତ, ୪ ଗିରଫ
ସେମିଳିଗୁଡା: ନିଶାଦ୍ରବ୍ୟ ବିରୋଧରେ ସେମିଳିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ସ୍ୱତନ୍ତ୍ର ଅପରେସନ ଜରିଆରେ ପୋଲିସ ବିପୁଳ ପରିମାଣର ପେଣ୍ଟାଯୋସିନ ଓ ଟ୍ରାମାଡୋଲ ଇଞ୍ଜେକ୍ସନ ଜବତ କରିଛି। ଏହି ନିଶା ଇଞ୍ଜେକ୍ସନର ବେଆଇନ କାରବାର ଓ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁସାରେ, ସେମିଳିଗୁଡା ଅଞ୍ଚଳରେ ଦୀର୍ଘଦିନ ଧରି ନିଶା ଇଞ୍ଜେକ୍ସନର ବେଆଇନ କାରବାର ଚାଲିଥିବା ନେଇ ପୋଲିସ ନଜର ରଖିଥିଲା। ଏନେଇ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରାଯାଇଥିଲା।ଆଜି ଅପରେସନ ସମୟରେ ପୋଲିସ ନିଶା ଇଞ୍ଜେକ୍ସନ ସହ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଜବତ ଇଞ୍ଜେକ୍ସନଗୁଡ଼ିକ ମଧ୍ୟରେ ପେଣ୍ଟାଯୋସିନ ଓ ଟ୍ରାମାଡୋଲ ରହିଥିବା ଜଣାପଡ଼ିଛି।ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ସେମିଳିଗୁଡା ପୋଲିସ। ଏହି ବେଆଇନ ନିଶା କାରବାର ପଛରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।ନିଶା ଇଞ୍ଜେକ୍ସନର ବେଆଇନ କାରବାର ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।

