ଖଲିଗୁଡା ଗ୍ରାମ ନିକଟରୁ ଏକ ବନ୍ଦ ବ୍ୟାଗ୍ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ରାୟଗଡା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା I
ରାୟଗଡ଼(info media)ଗତ ଜୁନ୍ ୧୭ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ନିକଟରୁ ଏକ ବନ୍ଦ ବ୍ୟାଗ୍ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ରାୟଗଡ଼ା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା I ରାୟଗଡ଼ା ପୁଲିସ ଆନ୍ଧ୍ର ପ୍ରଦେଶ ପୁଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି I ଅଭିଯୁକ୍ତ ଜଣଙ୍କ ହେଲେ କାଞ୍ଚରାପାଲମ ପୁଲିସ ଷ୍ଟେସନ ଅଧୀନରେ ଥିବା ଦୁର୍ଗା ନଗର ଅଂଚଳର ବୋଲିସେଟ୍ଟି ସୁରେଶ (୩୨) I ସେ ଜଣେ ଅଟୋ ଡ୍ରାଇଭର I ବ୍ୟାଗରେ ମିଳିଥିବା ଯୁବତୀ ଜଣକ ହେଲେ ସନ୍ଧ୍ୟା I ଘରୋଇ କାମରେ ସାହାଯ୍ୟ ପାଇଁ ଅଭିଯୁକ୍ତ ସୁରେଶ ମୃତକ ସନ୍ଧ୍ୟାକୁ ଘରକୁ ଆଣିଥିଲେ I କିନ୍ତୁ ପରବର୍ତୀ ସମୟରେ ସୁରେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ I ଯୁବତୀ ଜଣଙ୍କ ସୁରେଶକୁ ବାହା ହେବା ପାଇଁ ଚାପ ପକାଇଥିଲେ I କିନ୍ତୁ ସୁରେଶ କର୍ଣ୍ଣପାତ ନ କରିବାରୁ ଯୁବତୀ ଜଣଙ୍କ ଘରକୁ ଆସି ଘଟଣା ସମ୍ପର୍କରେ ଝଗଡା କରିଥିଲେ I ସେତେବେଳେ ହିଁ ସୁରେଶ ସନ୍ଧ୍ୟାଙ୍କୁ ପ୍ରବଳ ମାଡ ମାରିଥିଲେ ଏବଂ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା I ବ୍ୟାଗ କିଣି ମୃତଦେହକୁ ଭର୍ତି କରି ଇଣ୍ଟରସିଟି ଟ୍ରେନ ଯୋଗେ ରାୟଗଡ଼ା ଆଣିଥିଲା I ରାୟଗଡ଼ା ଷ୍ଟେସନରୁ ଅଟୋ ଯୋଗେ ବ୍ୟାଗକୁ ନେଇ ଖଲିଗୁଡା ନିକଟସ୍ଥ ପଡ଼ିଆରେ ଫିଙ୍ଗି ଦେଇଥିଲେ I ଅଟୋ ଚାଳକଙ୍କଠୁ ମିଳିଥିଲା ସୁରାକସୂଚନାରୁ ଜଣାପଡିଛି ମୃତଦେହ ଥିବା ବ୍ୟାଗ୍ଟି ଏକ ଅଟୋରିକ୍ସା ଯୋଗେ ଘଟଣାସ୍ଥଳକୁ ଆଣି ପକାଯାଇଥିବାର ପ୍ରମାଣ ମିଳିଥିଲା । ରାୟଗଡ଼ା ପୁଲିସ ଅଟୋ ଦ୍ୱାରା ଅଣାଯାଇ ବ୍ୟାଗ ଫିଙ୍ଗା ଯାଇଥିବା ସ୍ପଷ୍ଟ ହେବା ପରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସହରରେ ଚଳାଚଳ କରୁଥିବା ସମସ୍ତ ଅଟୋ ସହ ଚାଳକଙ୍କୁ ଗୋଟିଏ ସ୍ଥାନକୁ ଡାକିଥିଲେ I ଏହି ସୁରାକ ଆଧାରରେ ରାୟଗଡ଼ା ସହରର ବିଭିନ୍ନ ଅଟୋରିକ୍ସା ଚାଳକଙ୍କ ସହ ପୁଲିସ ପଚରାଉଚରା କରିବା ସମୟରେ ୨ଜଣ ଅଟୋ ଚାଳକ ଘଟଣାଦିନ ସନ୍ଦିଗ୍ଧକୁ ଅଟୋରେ ନେଇଥିବା ସୂଚନା ପାଇଥିଲେI ଅଟୋ ଚାଳକଙ୍କ ସୂଚନା ଅନୁଯାୟୀ ସନ୍ଦିଗ୍ଧ ଜଣଙ୍କ ଏଟିଏମ ରୁ ପଇସା ଉଠାଇଥିବା ସୂଚନା ଦେଇଥିଲେ I ପୁଲିସ ଏଟିଏମରେ ଥିବା ସିସି ଟିଭି ଫୁଟେଜରୁ ସନ୍ଦିଗ୍ଧର ଫଟୋ ପାଇ ଆନ୍ଧ୍ର ପୁଲିସର ସହାୟତା ନେଇ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା I ରାୟଗଡ଼ାଜିଲ୍ଲା ଚାନ୍ଦିଲି ପୁଲିସର ଏକ ସ୍ୱତନ୍ତ୍ର ଟିମ ଅଭିଯୁକ୍ତ ସୁରେଶକୁ ରାୟଗଡ଼ା ଆଣିଥିବା ଜଣାପଡିଛି ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୭ ତାରିଖ ସକାଳେ ଖଲିଗୁଡା ଗ୍ରାମ ନିକଟରେ ଥିବା ଏକ କାର୍ ଶୋ’ରୁମ୍ର ମ୍ୟାନେଜର ଶୋ’ରୁମ୍ ଖୋଲିବା ବେଳେ ବାହାରେ ପଡ଼ିଥିବା ଏକ କଳା ରଙ୍ଗର ବ୍ୟାଗ୍ରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ସନ୍ଦେହ କରିଥିଲେ। ସେ ଚାନ୍ଦିଲି ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗ୍ଟି ଖୋଲିଥିଲା। ପ୍ରାଥମିକ ତଦନ୍ତରୁ ମହିଳାଙ୍କ ହାତବନ୍ଧା ଅବସ୍ଥାରେ ଥିବା ଜଣାପଡ଼ିଥିଲା। ଏନେଇ ଚାନ୍ଦିଲି ଥାନାରେ ମାମଲା ନଂ ୧୯୮/୨୦୨୬ ରୁଜୁ ହୋଇଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିଲା । ହତ୍ୟାର ୪୫ ଦିନ ପରେ ରାୟଗଡ଼ା ଜିଲ୍ଲା ପୁଲିସକୁ ଏହି ବହୁ ଚର୍ଚ୍ଚିତ ଘଟଣାରେ ସଫଳତା ମିଳିଛି Iରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
