ଗଞ୍ଜାମ ଜିଲ୍ଲା ସାର କଳାବଜାରୀ ବେଳେ ମାଡ଼ି ବସିଲା ପ୍ରଶାସନ | ୨୨୫ ବସ୍ତା ୟୁରିଆ ସାର ଜବତ ।ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମରେ ସାର କଳାବଜାରୀ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିବା ୨୨୫ ବସ୍ତା ୟୁରିଆ ସାରଜବତ କରିଛି ପ୍ରଶାସନ । ଜିଲ୍ଲା କୃଷି ଅଧିକାରୀ, ଆସିକା ତହସିଲଦାର ଓ ପୋଲିସର ମିଳିତ ଚଢାଉ ବେଳେ ଏହି ସାର ଗୋଦାମକୁ ଜବତ କରାଯାଇଛି । ଗୋଟିଏ ପଟେ ରାଜ୍ୟରେ ସାର ସଙ୍କଟ ଦେଖାଯାଉଥିବା ବେଳେ ଚାଷୀମାନଙ୍କୁ ଆବଶ୍ୟକ ଅନୁଯାୟୀ ସାର ମିଳିପାରୁନି । ଏହି ସୁଯୋଗ ନେଇ ବିଭିନ୍ନ ସ୍ଥାନରେ ସାର କଳାବଜାରୀ ହେଉଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ସାର ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମର ଗୋଟିଏ କମ୍ୟୁନିଟି ହଲରେ ୨୨୫ ବସ୍ତା ୟୁରିଆ ସାର କଳାବଜାରୀ ପାଇଁ ଗଚ୍ଛିତ ରଖାଯାଇଥିବା ବିଶେଷ ସୂତ୍ରୁ ଖବର ମିଳିଥିଲା । ଖବର ପାଇ ଜିଲ୍ଲା କୃଷି ଅଧିକାରୀ ଓ ଆସିକା ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ସହ ମିଳିତ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସେଠାରୁ ୨୨୫ ବସ୍ତା ୟୁରିଆ ସାର ଜବତ କରାଯିବା ସହ ସାର ଗୋଦାମକୁ ସିଜ୍ କରାଯାଇଛି । ଏନେଇ ତଦନ୍ତ ଜାରି ରହିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛ । ଗଣେଶ ପାଣିଗ୍ରାହୀ ରିପୋର୍ଟ

