ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ ; ଜଣେ ଆହତଆଜି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମାଆ ବୁଢ଼ାକେନ୍ଦୁ ମନ୍ଦିର ଏବଂ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଝି ରାସ୍ତାରେ ଏକ ଗଛକୁ ପିଟି ହୋଇ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଖବରରୁ ଜଣା ପଡ଼ିଛି ମୃତକ ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ଗ୍ରାମର ଶିବରାମ ବିଷୋୟୀଙ୍କ ଏକ ମାତ୍ର ପୁଅ ସାଗର ବିଷୋୟୀ(୨୨)। ସାଗର ଶିବରାମଙ୍କ ତିନି ଝିଅ ମଧ୍ୟରେ ଏକମାତ୍ର ପୁଅ ଥିଲେ। ସାଗର ସୁରଟରେ ରହି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଦଶ ବାରଦିନ ତଳେ ସେ ଗ୍ରାମକୁ ଆସିଥିଲା। ଆଜି ସାଗର ତାର ସାଙ୍ଗ ଅରୁଣ ବିଷୋୟୀ ସହ କୌଣସି କାମରେ କୁଲାଙ୍ଗୀ ଯାଇ ମୋଟରସାଇକେଲରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଲାଗିଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ଉଭୟ ତଳେ ପଡିଯାଇ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ସାଢେ଼ ତିନିଟା ବେଳକୁ ସାଗର ମୃତ୍ୟୁ ବରଣ କରିଥିବା ବେଳେ ଅରୁଣର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି। ସାଗରର ଶବକୁ ଗାଙ୍ଗପୁର ପୋଲିସ୍ ଜବତ କରିଥିବା ବେଳେ ରିପୋର୍ଟ ଲେଖାହେଲା ବେଳେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବାରୁ ଆସନ୍ତା କାଲି ତାର ଶବ ବ୍ୟବଚ୍ଛେଦ କରାଯାଇ ତାର ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ସୂଚନା ଦେଇଛନ୍ତି। ନିଜର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ସାଗରର ବାପା ମାଆ ସମ୍ପୂର୍ଣ ଭାଙ୍ଗି ପଡିଥିବା ବେଳେ ଭଉଣୀ ମାନେ ନିଜ ଭାଇକୁ ବାହୁନି କାନ୍ଦୁଛନ୍ତି। ସାଗରର ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ ;
