କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି
ଗଜପତି,(ମନୋଜ ପାଢ଼ୀ): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଗତ ଜୁନ ୧ତାରିଖରେ ମୋହନା ବ୍ଲକ ଅନ୍ତର୍ଗତ ବଡ଼ସିନ୍ଧବା ପଞ୍ଚାୟତରେ କାଳ ବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା। ଝଡତୋଫାନରେ ଜାମଢିଅ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଟିଣ, ଛପର ଉଡିଯିବା ସହ ଅନ୍ୟ ଏକ ଶ୍ରେଣୀ ଗୃହ ଉପରେ ବିରାଟ କାୟ ଗଛ ପଡି ସ୍କୁଲ କାନ୍ଥ ଭାଙ୍ଗି ପଡିଥିଲା।ସେତିକିବେଳେ ଖବର ପାଇ ମୋହନା ଅଗ୍ନିଶମ ବାହିନୀ ବିଦ୍ୟାଳୟରେ ପହଞ୍ଚି ଗଛ କାଟି ହଟାଇ ଥିଲେ। ବିଦ୍ୟାଳୟ ଖରା ଛୁଟି ଥିବା ହେତୁ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସି ନ ଥିଲେ। ବର୍ତ୍ତମାନ ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀଛାତ୍ରମାନେ ପାଠପଢାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗୋଟିଏ ଶ୍ରେଣୀ ଗୃହରେ ବାଲବଟିକାରୁ ଚତୁର୍ଥ ଶ୍ରେଣୀ ଓ ଅନ୍ୟ ଏକ ଶ୍ରେଣୀ ଗୃହରେ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢା ଯାଉଛି। ଯାହାକୁ ନେଇ ଶିକ୍ଷୟିତ୍ରୀ ଶିକ୍ଷକମାନେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ପଢାଇବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୮ ତିତିଲି ବାତ୍ୟାରେ ସମ୍ପୃକ୍ତ ବିଦ୍ୟାଳୟର ଟିଣ, ଛପର ଉଡିଯାଇଥିଲା। ଏନେଇ ଟିଣ, ଛପର ବଦଳରେ ପକ୍କା ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
