କନ୍ଧମାଳରେ ହାତୀ ଆତଙ୍କ: ସ୍ୱତନ୍ତ୍ର ‘ର୍ୟାପିଡ୍ ରେସ୍ପନ୍ସ ଟିମ୍’ ଗଠନ ସହ ଜନସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର…
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାରେ ହାତୀ ଉପଦ୍ରବ ଏବେ ଜନଜୀବନ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ହୋଇଉଠିଛି। ବିଶେଷକରି ଘୁ.ଉଦୟଗିରି, ଟିକାବାଲି ଓ ରାଇକିଆ ବ୍ଲକର ବନାଞ୍ଚଳ ସଂଲଗ୍ନ ଗ୍ରାମଗୁଡ଼ିକରେ ହାତୀ ଏବଂ ବନ୍ୟଶୂକରଙ୍କ ଉପଦ୍ରବ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି। ଜନସାଧାରଣ ଭୟ ଓ ଆତଙ୍କ ମଧ୍ୟରେ ଦିନ କାଟୁଥିବା ବେଳେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆଜି ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ନିକଟ ଅତୀତରେ ହାତୀ ଆକ୍ରମଣରେ ୫ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ଟି ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଇଛନ୍ତି। ଏଥିସହ ଶହ ଶହ ଏକର ଚାଷଜମି ନଷ୍ଟ ହୋଇଥିବା ବେଳେ ଅନେକ ଘରବାଡ଼ି ଭାଙ୍ଗିଯାଇଛି। ସନ୍ଧ୍ୟା ହେଲେ ହାତୀପଲ ଗାଁ ମଧ୍ୟକୁ ପଶି ଆସୁଥିବାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଚାଷୀଙ୍କ ଜୀବିକା ଓ ସାଧାରଣ ଲୋକଙ୍କ ନିତ୍ୟଜୀବନ ବାଧାପ୍ରାପ୍ତ ହେଉଛି।ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଆଶାନୁରୂପ ପଦକ୍ଷେପ ଗ୍ରହଣ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ତେଣୁ ଜନସୁରକ୍ଷା ଓ ମାନବ-ବନ୍ୟଜନ୍ତୁ ସଂଘର୍ଷ ରୋକିବା ପାଇଁ ନିମ୍ନଲିଖିତ ଦାବିଗୁଡ଼ିକ ଉଠାଯାଇଛିl କନ୍ଧମାଳ ଜିଲ୍ଲା ପାଇଁ ସ୍ୱତନ୍ତ୍ର ର୍ୟାପିଡ୍ ରେସ୍ପନ୍ସ ଟିମ୍ (RRT) ଗଠନ।୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍ ବ୍ୟବସ୍ଥା।ବନ୍ୟଜନ୍ତୁ ପ୍ରବଣ ଅଞ୍ଚଳରେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ନିୟମିତ ପାଟ୍ରୋଲିଂ।କ୍ଷତିଗ୍ରସ୍ତ ଚାଷୀ ଓ ପରିବାରଗୁଡ଼ିକୁ ତୁରନ୍ତ ଓ ଉଚିତ କ୍ଷତିପୂରଣ।ହାତୀ ଚଳପ୍ରଚଳ ଅଞ୍ଚଳରେ ଆଧୁନିକ ‘ଅର୍ଲି ୱାର୍ନିଂ ସିଷ୍ଟମ୍’ ଏବଂ ସୁରକ୍ଷା ବାଡ଼ ନିର୍ମାଣ।ଏହି ଦାବିପତ୍ରର ନକଲ ବନ ଓ ପରିବେଶ ମନ୍ତ୍ରୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, କନ୍ଧମାଳ ଜିଲ୍ଲାପାଳ ଏବଂ ଡିଏଫଓଙ୍କ ନିକଟକୁ ମଧ୍ୟ ପଠାଯାଇଛି।ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବୃହତ୍ତର ଗଣଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।ଏହି ଅବସରରେ ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ, ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ବାଘ, ଫିଲିମନ ନାୟକ, ମିଡ଼ିଆ ବ୍ଲକ ସଭାପତି ଅରୁଣ ଷଡ଼ଙ୍ଗୀ, ଅନିଲ ଦଳବେହେରା, ଟାର୍ଜନ ସାହୁ, ଗଗନ ପ୍ରଧାନ, ନୀଳମାଧବ ପ୍ରଧାନ, ସଞ୍ଜୀବ ଦିଗାଲ, ଗୋବିନ୍ଦ ପ୍ରଧାନଙ୍କ ସମେତ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
