କୋଲନରାରେ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ
ରାୟଗଡା ( info media): କୋଲନରା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଦ୍ଵାରା ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ପ୍ରଦାୟର ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ଉନ୍ନତି ନେଇ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡିଓ ରୀନା ପ୍ରଧାନ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନୀଳମାଧବ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ଜାତି ଜନଜାତି ମୋର୍ଚ୍ଚା ଉପ ସଭାପତି କାଳୀରାମ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା, ସାଂସଦ ପ୍ରତିନିଧି ଡ.ଆଇ ଗୋବର୍ଦ୍ଧନ ରାଓ, ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା, ସିଡିପିଓ ପୁଷ୍ପଲତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକରେ ଶିକ୍ଷାର ପ୍ରସାର, ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସୁବିଧା, ଜନଜାତି ଅଞ୍ଚଳରେ ମୌଳିକ ସୁବିଧାର ବିକାଶ, ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ ଓ ଯୁବପିଢ଼ିଙ୍କ ନିଯୁକ୍ତି ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବକ୍ତାମାନେ କହିଥିଲେ ଯେ, ଜାତି ଓ ଜନଜାତି ସମାଜର ସାମଗ୍ରିକ ଉନ୍ନତି ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ। ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଯେପରିକି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ସମାଜରେ ଭ୍ରାତୃତ୍ୱ, ସାମ୍ପ୍ରଦାୟିକ ସଦ୍ଭାବ ଓ ପରସ୍ପର ସହଯୋଗ ଭାବନାକୁ ସୁଦୃଢ଼ କରିବାକୁ କୁହାଯାଇଥିଲା। ଏହି ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତର ଜାନୀ ଓ ଦିଶାରି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ମଙ୍ଗଳ ବିଭାଗ, ଶିକ୍ଷା ବିଭାଗ, ଉଦ୍ୟାନ ବିଭାଗ, ଉନ୍ନୟନ ବିଭାଗ, ପିଏମ୍ ସୂର୍ଯ୍ୟ ଘର, ଭିନ୍ନକ୍ଷମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିଶୁ ବିକାଶ, ପଶୁ ସମ୍ପଦ ବିଭାଗ ଓ ଓଡ଼ିଶା ଜୀବିକା ମିଶନ ତରଫରୁ ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା। ଜିପିଡିଓ ଅଜିତ୍ କୁମାର ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ଡାବ୍ଲୁଇଓ ଦେବାଶିଷ ମୁଣ୍ଡ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରମଣ୍ୟମ ପଣ୍ଡା, ଗଣେଶ୍ୱର ଭଟ୍ଟ, ନାରାୟଣ ଦଳପତି, ଯୋଗାଣ ନିରୀକ୍ଷକ ଦେବଦତ୍ତ ଲେଙ୍କା, ବିଭିନ୍ନ ପଞ୍ଚାୟତର ପିଇଓ ଓ ବ୍ଲକର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ବୈଠକରେ ବିଭିନ୍ନ ପଞ୍ଚାୟତର ବରିଷ୍ଠ ବ୍ୟକ୍ତି, ଯୁବ ପ୍ରତିନିଧି, ମହିଳା ସଦସ୍ୟ ଓ ସାମାଜିକ କର୍ମୀ ମାନେ ଯୋଗ ଦେଇଥିଲେ। ଶେଷରେ ଶ୍ରୀ ହୋତା ଧନ୍ୟବାଦ ଜଣାଇଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
