ଆଠ ଦିନ ହେଲା ସାହି ମଝିରେ ଉପୁଡ଼ି ପଡ଼ିଛି ବିଦ୍ୟୁତ ଖୁଣ୍ଟ, ବିପଦ ମଧ୍ୟରେ ଜୀବନ କାଟୁଛନ୍ତି ଲାବା ଗ୍ରାମବାସୀ” ।
ଗଜପତି ୯/ ୬/୨୬ (ମନୋଜ ପାଢ଼ୀ):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ଲାବାର ଗ୍ରାମରେ କାଳବୈଶାଖୀ ବର୍ଷା ଓ ପବନର ପ୍ରଭାବରେ ଏକ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଦୀର୍ଘ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ଏହାର ମରାମତି କିମ୍ବା ସ୍ଥାନାନ୍ତର ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀ ଭୟ ଓ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ଆସନ୍ତୁ ଦେଖିବା । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ହୋଇଥିବା କାଳବୈଶାଖୀ ବର୍ଷା ଓ ପ୍ରବଳ ପବନ ଯୋଗୁଁ ଲାବାର ଗ୍ରାମର ସାହି ମଝିରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଉପୁଡ଼ି ପଡ଼ିଥିଲା। ଘଟଣା ପରେ ଗ୍ରାମବାସୀ ତୁରନ୍ତ ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଏନେଇ ଅବଗତ କରାଇଥିଲେ। ମାତ୍ର ଆଠ ଦିନ ବିତିଯାଇଥିଲେ ମଧ୍ୟ ଭଙ୍ଗା ଖୁଣ୍ଟକୁ ଘୁଞ୍ଚାଇବା କିମ୍ବା ନୂଆ ଖୁଣ୍ଟ ସ୍ଥାପନ କରିବା ପାଇଁ କୌଣସି ଉଦ୍ୟମ ଦେଖିବାକୁ ମିଳିନାହିଁ।ଗ୍ରାମର ସାହି ମଝିରେ ଏହି ଖୁଣ୍ଟ ପଡ଼ି ରହିଥିବାରୁ ଛୋଟ ଛୋଟ ପିଲା, ବୃଦ୍ଧ ଓ ମହିଳାମାନେ ଯାତାୟାତ କରିବା ବେଳେ ଭୟଭୀତ ହେଉଛନ୍ତି। ବର୍ଷା ସମୟରେ ବିଦ୍ୟୁତ ତାରରୁ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ରହିଛି। ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଦୀର୍ଘ ଆଠ ଦିନ ହେଲା ବିଦ୍ୟୁତ ବିଛିନ୍ନ ହେବାଯୋଗୁ ଗ୍ରାମବାସୀ ଅନ୍ଧାରରେ ରହିବା ସହ ନାନା ସମସ୍ୟାର ସମୁଖୀନ ହେଉଥିବା ପ୍ରକାଶ କରିଛନ୍ତି। ଏନେଇ ବିଦ୍ୟୁତ ବିଭାଗକୁ ବାରମ୍ବାର ଜଣାଇବା ସତ୍ତ୍ୱେ ବିଭାଗୀୟ ଅଧିକାରୀମାନେ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଜନସୁରକ୍ଷା ସହ ଜଡିତ ଏଭଳି ଗୁରୁତର ସମସ୍ୟାକୁ ଅବହେଳା କରାଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ଏହାର ମରାମତି କରି ବିଦ୍ୟୁତ ସଂଯୋଗ ଦେବାନିମନ୍ତେ ଲେବିନାଶ ଗମାଙ୍ଗ, ଆନ୍ଦ୍ରିୟ ଗମାଙ୍ଗ,ଆର୍ଜିନ ଗମାଙ୍ଗ, ତୀତାସ ରଇତ, ରୁଜିସକେମ ରଇତ ଦାବିକରିଛନ୍ତି ।
