ବିଭିନ୍ନ ମୌଳିକ ସମସ୍ୟା ନେଇ ବୁଗୁଡ଼ା ବ୍ଲକ ଘେରାଉ କଲେ ବିରଞ୍ଚିପୁର ପଞ୍ଚାୟତବାସୀ
ବୁଗୁଡ଼ା, ୦୨/୦୬/୨୬:ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇନଥିବା ଏବଂ ବିଭାଗୀୟ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଶତାଧିକ ପଞ୍ଚାୟତବାସୀ ସୋମବାର ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହା ସହିତ ସେମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ବିରଞ୍ଚିପୁର ପଞ୍ଚାୟତରେ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ଫଳରେ ପଞ୍ଚାୟତର ବିକାଶ କେବଳ ସ୍ୱପ୍ନରେ ସୀମିତ ରହିଯାଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି।ପଞ୍ଚାୟତବାସୀମାନେ ଚେତାବନୀ ଦେଇଛନ୍ତି ଯେ, ଆସନ୍ତା ସାତ ଦିନ ମଧ୍ୟରେ ସେମାନଙ୍କ ଦାବିଗୁଡ଼ିକର ସମାଧାନ ନହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ର କରିବେ।ଏନେଇ ବୁଗୁଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର କହିଛନ୍ତି ଯେ, ପଞ୍ଚାୟତବାସୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇଛି ଏବଂ ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ସହ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରାଯିବ।ରିପୋର୍ଟ: ଗଣେଶ ପାଣିଗ୍ରାହୀ
