ଟାଟା ପାଓ୍ୱାର ନେତୃତ୍ୱାଧୀନ ଦକ୍ଷିଣ ଓଡ଼ିଶା ଡିସକମକୁ ମିଳିଲା ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର
ବ୍ରହ୍ମପୁର,26 ମଇ- ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍)କୁ ବ୍ରିଟିଶ ସେଫ୍ଟି କାଉନସିଲ୍ ଦ୍ୱାରା ‘ଡିଷ୍ଟିଙ୍କସନ୍’ ବର୍ଗରେ ସମ୍ମାନଜନକ ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର ୨୦୨୬ ପ୍ରଦାନ କରାଯାଇଛି । ଏହି ପୁରସ୍କାର କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ, ନିରାପତ୍ତା ତଥା କର୍ମଚାରୀଙ୍କ କଲ୍ୟାଣ ଭଳି ମାନକରେ ଉଲ୍ଲେଖନୀୟ ପ୍ରଦର୍ଶନ କାରଣରୁ ମିଳିଛି ।ଉନ୍ନତ ସୁରକ୍ଷା ପରିଚାଳନା ବ୍ୟବସ୍ଥା ଓ କାର୍ଯ୍ୟ କ୍ଷେତ୍ର ସୁଦୃଢ଼ୀକରଣ ପ୍ରଣାଳୀ ଉପରେ କମ୍ପାନୀ ଗୁରୁତ୍ୱ ଦେଇଛି । କମ୍ପାନୀ କାର୍ଯ୍ୟକ୍ଷେତ୍ରରେ ନିରାପଦାକୁ ସୁନିଶ୍ଚିତ କରିବା ଦିଗରେ କ୍ରମାଗତ ଉଦ୍ୟମ କରୁଥିବା ବେଳେ କର୍ମଚାରୀମାନଙ୍କ ମଧ୍ୟରେ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିଆସୁଛି । ନିୟମିତ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ, କର୍ମଚାରୀ ପ୍ରଶିକ୍ଷଣ, କ୍ଷେତ୍ରସ୍ତରୀୟ ମନିଟରିଂ ଓ ଦୈନନ୍ଦିନ କାର୍ଯ୍ୟରେ ସୁରକ୍ଷା ନିୟମାବଳୀ ମାଧ୍ୟମରେ ସର୍ବୋତ୍ତମ ସୁରକ୍ଷାକୁ ଲାଗୁ କରାଇବାରେ ସଫଳ ହୋଇଛି ।କମ୍ପାନୀର ଏହି ସଫଳତା ସମ୍ପର୍କରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, ବ୍ରିଟିଶ ସୁରକ୍ଷା ପରିଷଦ ତରଫରୁ ଏହି ସ୍ୱୀକୃତି ପାଇ ଆମେ ଆନନ୍ଦିତ । ଟିପିଏସ୍ଓଡିଏଲ୍ ପାଇଁ ସୁରକ୍ଷା ସଦା ସର୍ବଦା ପ୍ରାଥମିକତାରେ ରହିଆସିଛି । ଉଭୟ କର୍ମଚାରୀ ତଥା ଉପଭୋକ୍ତା ସଂପ୍ରଦାୟଙ୍କ ପାଇଁ ଏକ ନିରାପଦ ତଥା ସୁସ୍ଥ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ଲକ୍ଷ୍ୟରେ କମ୍ପାନୀ କାର୍ଯ୍ୟରତ ରହିଛି। କାର୍ଯ୍ୟସ୍ଥଳୀରେ ନିରାପତ୍ତାକୁ ମଜବୁତ କରିବା ଓ କ୍ଷେତ୍ର କର୍ମଚାରୀ ଓ ବ୍ୟବସାୟ ସହଯୋଗୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଟିପିଏସ୍ଓଡିଏଲ୍ କ୍ରମାଗତ ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି, ଯାହା କାର୍ଯ୍ୟ ଉତ୍କର୍ଷତା ଓ ଶୂନ୍ୟ କ୍ଷତିର ସଂସ୍କୃତି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୃଢ଼ କରୁଛି ।
