ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଶେଷ, ୯୦%ରୁ ଅଧିକ ମତଦାନ ରେକର୍ଡ।
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ଆଜି ବମ୍ପର ମତଦାନ ହୋଇଛି। ରାଜ୍ୟର ୭ଟି ଜିଲ୍ଲାର ୧୪୨ଟି ବିଧାନସଭା ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିଥିଲା। ନିର୍ବାଚନ କମିଶନଙ୍କ ପ୍ରାଥମିକ ତଥ୍ୟ ଅନୁସାରେ, ଏହି ପର୍ଯ୍ୟାୟରେ ପ୍ରାୟ ୯୦ ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି।ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ସର୍ବାଧିକ ୯୨.୪୬ ପ୍ରତିଶତ ମତଦାନ ହୋଇଥିବାବେଳେ, କୋଲକାତା ଦକ୍ଷିଣ ଜିଲ୍ଲାରେ ସର୍ବନିମ୍ନ ୮୬.୧୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ହୁଗୁଳିରେ ୯୦.୩୪ ପ୍ରତିଶତ, ହାୱଡାରେ ୮୯.୪୪ ପ୍ରତିଶତ, କୋଲକାତା ଉତ୍ତରରେ ୮୭.୭୭ ପ୍ରତିଶତ, ନଦିଆରେ ୯୦.୨୮ ପ୍ରତିଶତ, ଉତ୍ତର ୨୪ ପ୍ରଗଣାରେ ୮୯.୭୪ ପ୍ରତିଶତ ଏବଂ ଦକ୍ଷିଣ ୨୪ ପ୍ରଗଣାରେ ୮୯.୫୭ ପ୍ରତିଶତ ଭୋଟ ପଡ଼ିଛି।କିଛି ସ୍ଥାନରେ ମତଦାନ ସମୟରେ ଉତ୍ତେଜନା ଓ ଛିଟଫୁଟ ସଂଘର୍ଷ ଘଟିଥିଲେ ମଧ୍ୟ, ଅଧିକାଂଶ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।ମୁଖ୍ୟମନ୍ତ୍ରୀ Mamata Banerjeeଙ୍କ ଭବାନୀପୁର ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ୮୫.୫୧ ପ୍ରତିଶତ ଭୋଟିଂ ହୋଇଛି। ସେ ଏହି ଆସନରୁ Suvendu Adhikariଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଜି କାଳିଘାଟ ଅଞ୍ଚଳରେ ସୁଭେନ୍ଦୁଙ୍କୁ ଟିଏମସି କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।ଏହି ପର୍ଯ୍ୟାୟରେ ମୋଟ ୧୪୪୮ ଜଣ ପ୍ରାର୍ଥୀ ୧୪୨ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୪୧,୦୦୧ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ, ୮,୮୪୫ଟି ବୁଥ୍ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ହୋଇଛି।ହିଂସାମୁକ୍ତ, ଅବାଧ ଏବଂ ନିରପେକ୍ଷ ଭୋଟିଂ ପାଇଁ ନିର୍ବାଚନ ଆୟୋଗ ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିଥିଲେ। ଉଭୟ ପର୍ଯ୍ୟାୟର ଭୋଟ୍ ଗଣନା ମେ ୪ରେ ହେବ।
