୧୧ ଗାଁ’କୁ ଟ୍ୟାଙ୍କର୍ରେ ଜଳଯୋଗାଣ ଆରମ୍ଭଗଜପତିର ୫ ବ୍ଲକ୍ରେ ପାଣି ସମସ୍ୟା ଉତ୍କଟ । ଗଜପତି,୨୮.୪(ମନୋଜ ପାଢ଼ୀ)- : ଗ୍ରୀଷ୍ମଋତୁ ଚାଲିଥିବା ବେଳେ ଗଜପତି ଜିଲ୍ଲାରେ ପାନୀୟଜଳ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ବିଶେଷକରି ପାହାଡ଼ିଆ ଓ ଗ୍ରାମାଞ୍ଚଳରେ ଲୋକଙ୍କ ସ୍ଥିତି ଶୋଚନୀୟ ହେଲାଣି କେତେକ ଗ୍ରାମରେ ଝରଣା ଶୁଖିଯିବା ଫଳରେ ପାନୀୟଜଳ ସମସ୍ୟା ଉପୁଜିଥିବା ବେଳେ ଆଉ କେତେକ ଗ୍ରାମରେ ନଳକୂପରୁ ଆଉ ପାଣି ବାହାରୁନି ନାଳ ଓ ଝରଣା ଶୁଖିଯିବା ଫଳରେ ଅଧିକାଂଶ ପାହାଡ଼ିଆ ଇଲାକାର ଲୋକେ ଚୁଆ ଉପରେ ନିର୍ଭର କରୁଛନ୍ତି ବହୁ ଦୂରରୁ ସେମାନଙ୍କୁ ପାଣି ବୋହି ଆଣିବାକୁ ପଡୁଛି। ତେବେ ଏହି ସବୁ ସମସ୍ୟା ଆଜିର ନୁହେଁ ଦୀର୍ଘବର୍ଷ ହେଲା ଲାଗି ରହିଛି ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଓ ବିଭାଗ ସମାଧାନ କରିବାରେ ବିଫଳ ହୋଇଛି। ଗଜପତି ଜିଲ୍ଲାର ୭ଟି ବ୍ଲକ୍ ମଧ୍ୟରୁ ୫ଟି ବ୍ଳକ୍ର ପ୍ରାୟ ୫୦ ପ୍ରତିଶତରୁ ଅଧିକ ଲୋକ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ବେଳେ ଗ୍ରୀଷ୍ମଋତୁ ଆସିଲେ ଜଳସଂକଟ ଦେଖା ଦେଉଛି। ସମାଧାନ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଯାବତ ଶତ ପ୍ରତିଶତ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ସମ୍ଭବପର ହୋଇପାରିନାହିଁ। ବର୍ତ୍ତମାନ ଜିଲ୍ଲାର ମୋଟ ୧୪୭୯ ଗ୍ରାମ ମଧ୍ୟରୁ ୧୫୬ ଗାଁକୁ ‘ହରଘର ଜଳ’ ଯୋଜନାରେ ପାନୀୟଜଳ ଯୋଗାଣ ନେଉଛି। ୩୦୦ ଗ୍ରାମକୁ ବିଭିନ୍ନ ଉପାୟରେ ପମ୍ପ୍ ଯୋଗେ ଓ ୩୯୨ ଗାଁକୁ ଝରଣା ପାଣି ପାଇପ୍ ଯୋଗେ ଯୋଗାଣ ହେଉଛି କିନ୍ତୁ ଏବେ ବି ଶତାଧିକ ଗ୍ରାମକୁ ପାନୀୟଜଳ ଯୋଗାଣ ବ୍ୟବସ୍ଥିତ ହୋଇପାରିନି। ଫଳରେ ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରଶାସନ ଓ ବିଭାଗ ଅଣ୍ଟା ଭିଡ଼ିଛି। ପାନୀୟଜଳ ଅଭାବ ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାୟଗଡ଼ ବ୍ଲକ୍ର ୩ଟି, କାଶୀନଗର ବ୍ଳକ୍ର ୪ଟି, ଗୁମ୍ଫା ଓ ଗୋଷାଣୀ ବ୍ଲକ୍ର ୨ଟି ଲେଖାଏଁ ମୋଟ ୧୧ଟି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ହେଉଛି। ଆବଶ୍ୟକସ୍ଥଳେ ଅଧିକ ଟ୍ୟାଙ୍କରର ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଇଛି।
୧୧ ଗାଁ’କୁ ଟ୍ୟାଙ୍କର୍ରେ ଜଳଯୋଗାଣ ଆରମ୍ଭଗଜପତିର ୫ ବ୍ଲକ୍ରେ ପାଣି ସମସ୍ୟା ଉତ୍କଟ ।
