ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ : ବଦଳି ନହୋଇ ୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଗୋଟିଏ ସ୍ଥାନରେ ଅବସ୍ଥାପିତ ।
ଗଜପତି,୨୦.୪(ମନୋଜ ପାଢ଼ୀ)-: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରୁ ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟ ଅନୁଯାୟୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟରତ ଗଜପତି ଜିଲ୍ଲାର ୪ ଜଣ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି ଏହି ପଦବୀରେ ଅବସ୍ଥାନ କରିଥିବା ଅଭିଯୋଗ ଉଠିଛି। ସରକାରୀ ନିୟମାନୁସାରେ, କୌଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ କାଳ ରହିବା ବାରଣ କରାଯାଇଛି। କିନ୍ତୁ ଗଜପତି ଜିଲ୍ଲା ୪ ଟି ବ୍ଲକ୍ର ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ଏହି କ୍ଷେତ୍ରରେ ଏହାର ପୂର୍ଣ୍ଣ ବ୍ୟତିକ୍ରମ ଦେଖାଯାଇଛି। ଏହା ଓଡ଼ିଶା ସରକାରଙ୍କ ସ୍ଥାନାନ୍ତର ନୀତିର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ବିରାଟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟ ଅନୁଯାୟୀ, ପାରଳାଖେମୁଣ୍ଡିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପବିତ୍ର କୁମାର ଦଳେଇ ୨୦୨୧ ସେପ୍ଟେମ୍ବର ୩୦ତାରିଖରେ କାର୍ଯ୍ୟରେ ଯୋଗଦାନ କରିଥିଲେ ପ୍ରାୟ ୪ ବର୍ଷ ୬ ମାସ ବିତିଗଲାଣି ସେ ଗୋଟିଏ ସ୍ଥାନରେ ବିସ୍ଥାପିତ ଅଛନ୍ତି। ସେହିପରି ଗୁମ୍ମା ବ୍ଲକ୍ର ସହକାରୀ ଯନ୍ତ୍ରୀ ହୃଷୀକେଶ ମାରାଣ୍ଡି ମଧ୍ୟ ଗତ ୨୦୨୧ ସେପ୍ଟେମ୍ବର ୩୦ ତାରିଖରେ ଯୋଗଦାନ କରିଥିଲେ ପ୍ରାୟ ୪ ବର୍ଷ ୬ ମାସ ବିତିଗଲାଣି ଗୋଟିଏ ସ୍ଥାନରେ ବଦଳି ନହୋଇ ବିସ୍ଥାପିତ ଅଛନ୍ତି। କାଶୀନଗର ବ୍ଲକ୍ର ସହକାରୀ ଯନ୍ତ୍ରୀ ତ୍ରିପତି ସାହୁ ମଧ୍ୟ ୨୦୨୧ ସେପ୍ଟେମ୍ବର ୩୦ ତାରିଖରେ ଯୋଗଦାନ କରିଥିଲେ ସେ ମଧ୍ୟ ପ୍ରାୟ ୪ ବର୍ଷ ୬ ମାସ ହେଲାଣି ବଦଳି ହୋଇ ନାହାନ୍ତି। ମୋହନା ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ଜେନା ଗତ .୨୦୨୧ ସେପ୍ଟେମ୍ବର ୩୦ ତାରିଖରେ କାର୍ଯ୍ୟରେ ଯୋଗଦାନ କରିଥିଲେ ମଧ୍ୟ ସେ ବଦଳି ନହୋଇ ଗୋଟିଏ ସ୍ଥାନରେ ବିରାଜମାନ ଅଛନ୍ତି। ଯାହା ଓଡ଼ିଶା ସରକାରଙ୍କ ସ୍ଥାନାନ୍ତର ନିୟମ ଅନୁଯାୟୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ସାଧାରଣତଃ ତିନି ବର୍ଷ ପରେ ବଦଳି କରାଯିବା ବାଧ୍ୟତାମୂଳକ ଥିବା ବେଳେ ଏଠାରେ ସରକାରଙ୍କ ବଦଳି ନୀତିର ଖୋଲା ଅବମାନନା ହୋଇଥିବା ସ୍ପଷ୍ଟ ଭାବରେ ପରିଲକ୍ଷିତ ହୋଇଛି। ଦୀର୍ଘ ଅବସ୍ଥାନ ସ୍ଥାନୀୟ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ ଗୁଡ଼ିକରେ ପକ୍ଷପାତ କିମ୍ବା ଅନିୟମିତତାର ଆଶଙ୍କା ବଢ଼ାଇଛି। ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ସମୟ ଗୋଟିଏ ସ୍ଥାନରେ ରହିବା ଦ୍ଵାରା କାର୍ଯ୍ୟଦକ୍ଷତା ଓ ନିଷ୍କକ୍ଷତା ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏହା ସ୍ଥାନୀୟ ରାଜନୀତି କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ସହିତ ଜଡ଼ିତ ହେବାର ସମ୍ଭାବନାକୁ ମଧ୍ଯ ବଢ଼ାଇ ଦେଇପାରେ, ଯାହା ଜନ ସାଧାରଣଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇ ପାରେ। ଗଜପତି ଜିଲ୍ଲାରେ ଅନେକ କ୍ଷେତ୍ରରେ ଏଭଳି ଦୀର୍ଘ କାର୍ଯ୍ୟକାଳ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗକୁ ଆହ୍ୱାନ କରିଥାଏ ବୋଲି ପ୍ରମାଣିତ ହୋଇଛି। ଏହି ପ୍ରସଙ୍ଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଆବଶ୍ୟକ ବଦଳି ପଦକ୍ଷେପ ନେବା ଉଚିତ୍। ନଚେତ୍ ଯନ୍ତ୍ରୀ ମାନେ ଦୀର୍ଘବର୍ଷ ରହିବା ଫଳରେ ଏହା ବିଭାଗୀୟ ନୀତିର ଅବମାନନା ସହିତ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟରେ ଅନିୟମିତତା ବଢ଼ାଇପାରେ।

