ସିୟୁଟିଏମ୍ ରେ ଆତ୍ମୀୟ ସମ୍ମିଳନୀ ଆୟୋଜିତ ।
ଗଜପତି,୨୯.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଆର୍.ସୀତାପୁର ଠାରେ ଥିବା ସିୟୁଟିଏମ୍ ସଭା ଗୃହରେ ପୁରୁଣା ବନ୍ଧୁ ପୁନର୍ମିଳନ ତଥା ଆତ୍ମୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟ ଇଂ.ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ଏପରି ଆତ୍ମୀୟ ମାନଙ୍କ ସମ୍ମିଳନୀକୁ ପ୍ରଶଂସା କରିଥିଲେ । ପାରଳାଖେମୁଣ୍ଡି ମିତ୍ର ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡ. ରହିମତୁଲ୍ଲା ଓ ଭିଏସ୍ଏନ୍ ରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ସିୟୁଟିଏମର ଉପସଭାପତି ପ୍ରଫେସର ଡିଏନ୍ ରାଓ, ପ୍ରାକ୍ତନ ପ୍ରିନ୍ସିପାଲ ସେକ୍ରେଟେରୀ ସିବିଏସ୍ ରାମଚନ୍ଦ୍ର ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବନ୍ଧୁତ୍ବର ମହତ୍ବ ଉପରେ ଆଲୋକପାତ କରିଥିଲେ । ଏହି ଦ୍ବିଭାଷୀ ଅଞ୍ଚଳରେ ଉଭୟ ଓଡିଆ ଓ ତେଲୁଗୁ ସଂପ୍ରଦାୟର ଲୋକେ ଭାଇଚାରା ମନୋଭାବ ପୋଷଣକରି କେଉଁ କାଳରୁ ବସବାସ କରିଆସୁଛନ୍ତି । ତେଣୁ ଏପରି ଅଞ୍ଚଳରେ ବନ୍ଧୁତ୍ବପୂର୍ଣ୍ଣ ବହୁ ଗୁରୁତ୍ବପୂର୍ଣ୍ଣ ଅଟେ । ଊଭୟେ ଉଭୟ ସଂପ୍ରଦାୟର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ ଠାରୁ ଆରମ୍ଭ କରି ଆପତ୍ତି ବିପତ୍ତିରେ ସମଭାଗେ ଦାୟିତ୍ବ ନିର୍ବାହ କରିଥାନ୍ତି ବୋଲି ମତ ପ୍ରକାଶ ପାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଦୁଇଶହରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ଯୋଗଦେଇଥିବା ବେଳେ ଅତିଥିଗଣଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
