ସଚେତନତା ଓ ନିଶୁଳ୍କ ଦାନ୍ତ ପରୀକ୍ଷା ସହିତ ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ ଉଦ୍ଯାପିତ
ଗଜପତି, ୨୦।୩ (ମନୋଜ ପାଢ଼ୀ) -: ସିୟୁଟିଏମ୍ ପାରଳାଖେମୁଣ୍ଡିର ଅଡିଟୋରିଅମ୍ ହଲ୍ରେ ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ପରଳାଖେମୁଣ୍ଡିର ସ୍କୁଲ୍ ଅଫ୍ ନର୍ସିଂ ଦ୍ୱାରା ଶ୍ରୀ ରାମ ଡେଣ୍ଟାଲ୍ କ୍ଲିନିକ୍ର ସହଯୋଗରେ ଆୟୋଜିତ ହୋଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁଖ ସ୍ୱାସ୍ଥ୍ୟ ସୁରକ୍ଷା ଓ ପ୍ରତିରୋଧମୂଳକ ଦାନ୍ତ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା । ଏହି ଅବସରରେ ଡିନ୍ ଡିପ୍ଲୋମା ଡା. ପ୍ରଭାତ ରଞ୍ଜନ ଓ ସ୍କୁଲ ଅଫ୍ ନର୍ସିଂର ଅଧ୍ୟକ୍ଷା ଡା. ଏସ୍. ଏନ୍. ସନ୍ଧ୍ୟା (ପ୍ରିନ୍ସିପାଲ୍, ସ୍କୁଲ୍ ଅଫ୍ ନର୍ସିଂ) ସହିତ ଡିପ୍ଲୋମା ଓ ନର୍ସିଂ ବିଭାଗର ଶିକ୍ଷକମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ରିସୋର୍ସ ପର୍ସନ୍ ଭାବେ ଡା. ସରଥ ସାଲାନା ଯୋଗଦେଇ ମୁଖ ସ୍ୱାସ୍ଥ୍ୟ ଓ ସାଧାରଣ ଦାନ୍ତ ରୋଗ ବିଷୟରେ ଏକ ତଥ୍ୟବହୁଳ ସେମିନାର୍ ପ୍ରଦାନ କରିଥିଲେ । ଏହା ସହ ଉତ୍ତମ ମୁଖ ସ୍ୱାସ୍ଥ୍ୟ ଅଭ୍ୟାସ ରଖିବା ଓ ଦାନ୍ତ ରୋଗର ପ୍ରାରମ୍ଭିକ ଚିହ୍ନଟର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । ଛାତ୍ର ସମନ୍ୱୟକାରୀ କେ. ଲହରୀ ଓ ମିଲନ କୁମାର ମୁଦୁଲି, ଶିକ୍ଷକ ସମନ୍ୱୟକାରୀ ମିସ୍ ସୁଭାସ୍ରୀ ପାଣିଗ୍ରାହୀ ଓ ମିସ୍ ମାଧୁରିମା ସାମନ୍ତଙ୍କ ନିର୍ଦ୍ଦେଶନାରେ ହୋଇଥିଲା । ଏହି ଅବସରରେ ଡିଜିଟାଲ୍ ପୋଷ୍ଟର୍ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ଖାଦ୍ୟ ଅନୁପୁରକ ଓ ମୁଖ ସ୍ୱାସ୍ଥ୍ୟର ପ୍ରତିରୋଧମୂଳକ ବ୍ୟବସ୍ଥା ବିଷୟରେ ଅଲୋକପାତ କରାଯାଇଥିଲା । ଏହା ସହିତ ପୁରାତନ ଠାରୁ ଆଧୁନିକ ଦାନ୍ତ ଚିକିତ୍ସା ପଦ୍ଧତିର ବିକାଶ ଉପରେ ଏକ ଭିଡିଓ ପ୍ରଦର୍ଶନ ମଧ୍ୟ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ଡିସ୍ପେନସାରୀରେ ଏକ ନିଶୁଳ୍କ ଦାନ୍ତ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଏଥିରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ପ୍ରାୟୋଗିକ ଲାଭ ଅନୁଭବ କରିଥିଲେ । ମୋଟ ୧୨୨ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇଥିଲେ ।

