ଜଙ୍ଗଲ ନିଆଁ ପ୍ରସ୍ତୁତି ଓ ପରିଚାଳନାକୁ ନେଇ ସାମ୍ବାଦିକ ସମ୍ମିଳନୀ

ଜଙ୍ଗଲ ନିଆଁ ପ୍ରସ୍ତୁତି ଓ ପରିଚାଳନାକୁ ନେଇ ସାମ୍ବାଦିକ ସମ୍ମିଳନୀ

ଜଙ୍ଗଲ ନିଆଁ ପ୍ରସ୍ତୁତି ଓ ପରିଚାଳନାକୁ ନେଇ ସାମ୍ବାଦିକ ସମ୍ମିଳନୀ

ଗଜପତି, ୧୧।୩ (ମନୋଜ ପାଢ଼ୀ) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୨୦୨୬ ବର୍ଷ ପାଇଁ ଗଜପତି ଜିଲ୍ଲାରେ ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ ଓ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲା କାର୍ଯ୍ୟଯୋଜନାକୁ ଅନ୍ତିମ ରୂପ ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ.ନାଗାରାଜୁ ଯୋଗଦେଇ ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ ଓ କାର୍ଯ୍ୟାନୁଷ୍ଠାନ ଆଦି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟତଃ କ୍ଷେତ୍ର ସ୍ତରର ବନ କର୍ମଚାରୀ ମାନଙ୍କୁ ବୈଜ୍ଞାନିକ ଭାବରେ ଅଗ୍ନି ନିବାରଣ ପ୍ରକ୍ରିୟା ଓ ଅଗ୍ନିନିବାରଣ ଉପକରଣର ସଠିକ୍ ବ୍ୟବହାର ବିଷୟରେ ପ୍ରଶିକ୍ଷଣ ଦେବା ଚାଲୁଥିବା,ଅଗ୍ନିକାଣ୍ଡ ଋତୁରେ ୦୧ ଜାନୁଆରୀ ରୁ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ମୋଟ ୪୫ଟି ଅଗ୍ନି ସ୍ଥଳ ରିପୋର୍ଟ ହୋଇଥିଲା ଏବଂ ସମସ୍ତ ୪୫ଟି ଅଗ୍ନିକାଣ୍ଡକୁ ବନ କର୍ମଚାରୀମାନଙ୍କ ଦ୍ବାରା ସଫଳତାର ସହିତ ନିବାରଣ କରାଯାଇଛି । ଚାଲୁଥିବା ଅଗ୍ନିକାଣ୍ଡ ଋତୁ ପାଇଁ ବିଭିନ୍ନ ଯୋଜନା ଅଧୀନରେ ୮୮୮ କି.ମି. ଫାୟାର ଲାଇନ୍ ସୃଷ୍ଟିର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ୮୮୧ କି.ମି. ଫାୟାର ଲାଇନ୍ ସୃଷ୍ଟି କାର୍ଯ୍ୟ ସମ୍ପନ୍ନ ହୋଇଛି ଏବଂ ସମ୍ବନ୍ଧିତ ବନାଞ୍ଚଳ ଅଧିକାରୀ ମାନଙ୍କ ଦ୍ବାରା ଓଏଫ୍ଏମ୍ଏସ୍ ଆପ୍ ମାଧ୍ୟମରେ ଏହାକୁ ସତ୍ୟାପିତ କରାଯାଇଛି । ଅଗ୍ନିକାଣ୍ଡ ସମୟରେ ଜରୁରୀ ସ୍ଥିତିକୁ ତ୍ବରିତ ମୁକାବିଲା କରିବା ପାଇଁ ଡିଭିଜନ କାର୍ଯ୍ୟାଳୟରେ ୨୪x୭ ଜଙ୍ଗଲ ଅଗ୍ନିକାଣ୍ଡ ନିୟନ୍ତ୍ରଣ କକ୍ଷ କାର୍ଯ୍ୟରତ ରହିଛି । ଏହାସହ ଡିଭିଜନର ସମସ୍ତ ୭ଟି ରେଞ୍ଜ ରେ ମଧ୍ୟ ୨୪x୭ ଜଙ୍ଗଲ ଆଗ୍ନିକାଣ୍ଡ ନିୟନ୍ତ୍ରଣ କକ୍ଷ କାର୍ଯ୍ୟରତ ଅଛି । ରେଞ୍ଜ କଣ୍ଟ୍ରୋଲ୍ ରୁମ୍ ନମ୍ବରଗୁଡ଼ିକ ମଧ୍ୟ ସାର୍ବଜନୀନ କରାଯାଇଛି । ଜିଲ୍ଲାର ସାତ ଗୋଟି ରେଞ୍ଜ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇ ଯୋଗାଯୋଗ ନମ୍ବର ସାର୍ବଜନୀନ କରାଯାଇଛି ।

ସେହିପରି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନ‌ତା ବୃଦ୍ଧି ପାଇଁ ୧୦.୦୩.୨୦୨୬ ପର୍ଯ୍ୟନ୍ତ ମୋଟ ୫୯୬ ଟି ଜଙ୍ଗଲ ଆଗ୍ନି ସଚେତନତା ବୈଠକ ଆୟୋଜିତ ହୋଇଛି I ଯଥା କ୍ରମେ ଚନ୍ଦ୍ରଗିରି ୮୫, ଦେବଗିରି ୩୫, ମୋହେନ୍ଦ୍ର ୫୫, ମୋହ‌ନା ୨୩୯, ଆର୍. ଉଦୟଗିରି ୭୯, କାଶୀନଗର ୩୨ ଓ ରାମଗିରି ୭୧ ଗୋଟି ବୈଠକ ହୋଇଯାଇଛି । ଗ୍ରାମସଭା, ପଦଯାତ୍ରା, ଆଡିଓ-ଭିଜୁଆଲ୍ କ୍ୟାମେନ୍, ଆଦିବାସୀ ନାଟକ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି I ଦେବଗିରି ରେଞ୍ଜରେ ଦାସକାଠିଆ ଓ ମୋହନା ରେଞ୍ଜରେ କଣ୍ଡେଇ ନାଚ ଭଳି ପାରମ୍ପରିକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି I ପୋଷ୍ଟର, ଭିଡିଓ, ଲୋକନୃତ୍ୟ, ଗୀତ ଓ ରାସ୍ତା ନାଟକ ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି I ଏହା ସହ ଜଙ୍ଗଲ ଅଗ୍ନିକାଣ୍ଡ ର ପ୍ରାରମ୍ଭିକ ସନ୍ଦେହ ଓ ଚିହ୍ନଟ ପାଇଁ ଏଫ୍ଏସ୍ଆଇ ଫାୟାର ପୋର୍ଟାଲ୍ ଓ ବନ ଅଗ୍ନି ପୋର୍ଟାଲକୁ କାର୍ଯ୍ୟକ୍ଷମ ଭାବରେ ବ୍ୟବହାର କରାଯାଉଛି । ଅଗ୍ନିକାଣ୍ଡ ପ୍ରତିକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ ସେକ୍ସିଟିଭ୍ ରେଞ୍ଜଗୁଡ଼ିକରେ ୧୬ଟି ଅଗ୍ନିନିବାରଣ ଯାନ ନିଯୁକ୍ତ କରାଯାଇଛି I ମୋଟ ୧୨୨ଟି ଫାୟାର କ୍ଲୋଅର ସହିତ ଫାୟାର ବିଟର, ରେକ୍, ଥମ୍ପର ଓ ଫାୟାର ଝାଡୁ ଭଳି ଅନ୍ୟାନ୍ୟ ଅଗ୍ନିନିବାରଣ ଉପକରଣ ସମସ୍ତ ରେଞ୍ଜ ଓ ବିଟରେ ଉପଲବ୍ଧ ଅଛି ଏବଂ ସୁଚାରୁ ଭାବେ ରକ୍ଷଣାବେକ୍ଷଣ କରାଯାଇଛି। ଅଗ୍ନିକାଣ୍ଡ ଋତୁ ପୂର୍ବରୁ ସମସ୍ତ ଉପକରଣର ଫିଟନେସ୍ ଯାଞ୍ଚ ଓ ଆବଶ୍ୟକ ମରାମତି କାମ ସମ୍ପନ୍ନ କରାଯାଇଛି । ଅଗ୍ନିପ୍ରବଣ ଅଞ୍ଚଳରେ ନିରନ୍ତର ନିରୀକ୍ଷଣ ଓ ପାଟ୍ରୋଲିଂ ପାଇଁ ମୋଟ ୧୩୯ ଜଣ ଅଗ୍ନି ସ୍କ୍ବାର୍ଡ କର୍ମଚାରୀ ଙ୍କୁ ନିଯୁକ୍ତ କରାଯାଇଛି ।

ସେମାନେ ଜଙ୍ଗଲ ଆଗ୍ନିକାଣ୍ଡର ପ୍ରାରମ୍ଭିକ ସନ୍ଦେହ, ପ୍ରତିରୋଧ ଓ ତ୍ବରିତ ନିବାରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି I ପାରଳାଖେମୁଣ୍ଡି ବନ ବିଭାଗ ଗଜପତି ଜିଲ୍ଲାର ମୂଲ୍ୟବାନ ଅରଣ୍ୟ ସମ୍ପଦକୁ ସୁରକ୍ଷା କରିବା ପାଇଁ ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ ଓ ନିୟନ୍ତ୍ରଣରେ ସମସ୍ତ ହିତଧାରୀ ଓ ସ୍ଥାନୀୟ ସମୁଦାୟଙ୍କ ସକ୍ରିୟ ସହଯୋଗ ଅନୁରୋଧ କରୁଛି ବୋଲି ଶ୍ରୀ ନାଗାରାଜୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍ ସାଇନିଶ୍ରୀ ଦାସ, ଦେବଗିରି ରେଞ୍ଜ ଅଧିକାରୀ ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତଥିଲେ ।