ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ‘ଅରୁଣିମା–୨୦୨୬’
୬୩୩ ମେଧାବୀଙ୍କୁ ଜ୍ୟୋତି ଫେଲୋସିପ୍ମହିଳା ସଶକ୍ତିକରଣ ଓ ଜୀବିକା କର୍ମଶାଳାରେ ୫୩୮ ଚାଷୀ, ୩୪୫ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ
ବ୍ରହ୍ମପୁର, ୧୭ ଫେବୃଆରୀ ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘ଅରୁଣିମା–୨୦୨୬’ କନକ୍ଲେଭର ୮ମ ସଂସ୍କରଣରେ ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତିର ୬୩୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ଜ୍ୟୋତି ଫେଲୋସିପ୍’ ପ୍ରଦାନ କରାଯାଇଛି। ଫାଉଣ୍ଡେସନର ଗୋପାଳପୁର ୟୁନିଟ୍ ଦ୍ୱାରା ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ମହିଳା, କୃଷକ, କ୍ଷେତ୍ର ବିଶେଷଜ୍ଞ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ନାୟକ, ଶର୍ମିଷ୍ଠା ପ୍ରଧାନ, ପଟାୟତ ସାହୁ, ଡଃ ସାବରମତୀ ଓ ସୀମାଞ୍ଚଳ ପାତ୍ର ଅତିଥି ଭାବେ ଉପସ୍ଥିତ ଥିଲେ। ଶିକ୍ଷା, ଯୁବ ନେତୃତ୍ୱ, ମହିଳା ସଶକ୍ତିକରଣ ଓ ସ୍ଥାୟୀ ଜୀବିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଗୋପାଳପୁର ଅଞ୍ଚଳର ୫୩୮ ଜଣ ଚାଷୀ ଜଳବାୟୁ ଅନୁକୂଳ ଚାଷ ଓ ଆଧୁନିକ ଜୀବିକା ପ୍ରଣାଳୀ ବିଷୟରେ ଆଲୋଚନା କରିଥିବା ବେଳେ, ଟାଟା ଷ୍ଟିଲ୍ ଫାଉଣ୍ଡେସନର କାର୍ଯ୍ୟକାରୀ ଗ୍ରାମଗୁଡ଼ିକରୁ ୩୪୫ ମହିଳା ନେତ୍ରୀ ମହିଳା ନେତୃତ୍ୱ, ଲିଙ୍ଗ ସମାନତା ଓ ସ୍ଥାୟୀ ଜୀବିକା ବିଷୟରେ ଅନୁଭବ ବାଣ୍ଟିଥିଲେ।ଏହି ଅବସରରେ ବାଲ୍ୟ ବିବାହ ରୋକଥାମ, ଋତୁସ୍ରାବ ସ୍ୱଚ୍ଛତା ଓ କିଶୋରାବସ୍ଥା ଶିକ୍ଷାରେ କାର୍ଯ୍ୟ ପାଇଁ ୫ ଯୁବକଙ୍କୁ ସମ୍ମାନିତ କରାଯାଇଥିଲା। କୃଷି କ୍ଷେତ୍ରରେ ଉନ୍ନତି କରିଥିବା ୩୦ ପ୍ରଗତିଶୀଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଜୈବିକ ଚାଷ ଓ ସ୍ଥାୟୀ କୃଷି ପ୍ରଣାଳୀ ଉପରେ ଆଧାରିତ ଆଇଇସି ମ୍ୟାଟେରିଆଲ ଉନ୍ମୋଚନ ହୋଇଥିଲା, ଯାହା ମୃତ୍ତିକା ସୁରକ୍ଷା ଓ ରାସାୟନିକ ସାର ଉପରେ ନିର୍ଭରଶୀଳତା କମାଇବାରେ ସହାୟକ ହେବ।ବୈଷୟିକ ଅଧିବେଶନରେ ପ୍ରାକୃତିକ ଚାଷ, ହର୍ବାଲ୍ ପ୍ଲାଣ୍ଟେସନ, ପ୍ରୋବାୟୋଟିକ୍ ଫସଲ ଅଭ୍ୟାସ, ପ୍ରାକୃତିକ ସମ୍ପଦ ପରିଚାଳନା ଓ ମତ୍ସ୍ୟ ଚାଷ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱରର ବୈଜ୍ଞାନିକ ଡଃ ବିଶ୍ୱରଞ୍ଜନ ପ୍ରଧାନ, ସେଣ୍ଟ୍ରାଲ ହର୍ଟିକଲଚରାଲ ଏକ୍ସପେରିମେଣ୍ଟ ଷ୍ଟେସନର ମୁଖ୍ୟ ବୈଜ୍ଞାନିକ ଡଃ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ଭୂଷଣ ସାହୁ ଓ କୋରାପୁଟର ‘ମିଲେଟ୍ କୁଇନ୍’ ରାଇମତୀ ଘିଉରିଆ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।
