ପାରଳାରେ ବଢ଼ୁଛି ଚୋରି ସିସି କ୍ୟାମେରା ଫୁଟେଜ୍କୁ ଭରସା କରିଛି ପୁଲିସ
ଗଜପତି,୧୬.୨(ମନୋଜ ପାଢ଼ୀ):- : କିଛି ଦିନର ନିରବତା ପରେ ପୁଣି ଥରେ ପାରଳାଖେମୁଣ୍ଡି ସହରରେ ଚୋରି ଘଟଣା ନଜରକୁ ଆସୁଛି| ପ୍ରତିଦିନ ସହରର କିଛି ନା କିଛି ସ୍ଥାନରୁ ଚୋରି ଅଭିଯୋଗ ହୋଇ ଆସୁଛି। ଏବେ କିଛି ଦିନ ହେଲା ସହରର ରାସ୍ତାକଡ଼ ଓ ଘର ସାମ୍ନାରୁ ଅବାଧ ଭାବେ ସାଇକେଲ୍ ଓ ବାଇକ୍ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି| ଏମିତିକି କିଛି ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ଏବଂ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି | ଏହାସତ୍ତ୍ବେ ମଧ୍ୟ ପୁଲିସ ସେ ଚୋରକୁ କାବୁ କରିପାରୁ ନଥିବା କୁହାଯାଇଛି। ବାଇକ୍ ଓ ସାଇକେଲ୍ ଚୋରି ପରେ ଏହା ଉଦ୍ଧାର ହେବା ଓ ଅଭିଯୁକ୍ତକୁ ଧରିବାରେ ପୁଲିସ ସକ୍ଷମ ହେଉ ନଥିବା ଦେଖିବାକୁ ମିଳିଛି। ପୁଲିସ କେବଳ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରି କାମ ସାରିଦେଉଛି| ଆଉ କିଛି ଘଟଣାରେ ପୁଲିସ ଆଦୌ ଆଗ୍ରହ ପ୍ରକାଶ କରୁ ନଥିବା ଭଳି ଅଭିଯୋଗ ହୋଇଛି।ଅନ୍ୟପକ୍ଷରେ ସହରର ଏକାଧିକ ସାହିରେ ଘରକୁ ସଂଯୋଗ ହୋଇଥିବା ପାଣି ପାଇପ୍ ମିଟର ସବୁ ବାରମ୍ବାର ଚୋରି ହେଉଛି। ଏମିତି କି ଗୋଟିଏ ପରେ ଗୋଟିଏ ସାହିରେ ଲଗାତାର ଭାବେ ପାଇପ କାଟି ମିଟରକୁ ଦୁର୍ବୃତ୍ତ ନେଇ ଯାଉଛନ୍ତି। ସେ ଦିଗରେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ ତେବେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ କହିବା ହେଲା ପୁଲିସ ଏବେ ଚୋର ଗ୍ୟାଙ୍ଗ ଠାବ କରି ସାରିଛି | ଯଥାଶୀଘ୍ର ପୁଲିସ ବଢ଼ୁଥିବା ଚୋରି ମାମଲାର ଖୁଲାସା କରିବ ବୋଲି ସେ କହିଛନ୍ତି ।ଗଜପତି ଜିଲ୍ଲା ରୁ ମନୋଜ କୁମାର ପାଢୀ ରିପୋର୍ଟ ।
