ଅଣ୍ଡର-୧୯ ବିଶ୍ବକପ୍: ପାକିସ୍ତାନକୁ ୫୮ ରନ୍ରେ ହରାଇ ଭାରତ ସେମିଫାଇନାଲ୍ରେ
ହରାରେ: ଚଳିତ ଅଣ୍ଡର-୧୯ କ୍ରିକେଟ୍ ବିଶ୍ବକପ୍ରେ ପାକିସ୍ତାନ ଉପରେ ଦମଦାର ବିଜୟ ସହ ଭାରତ ସେମିଫାଇନାଲ୍ରେ ପ୍ରବେଶ କରିଛି। ଏସିଆ କପ୍ ଫାଇନାଲ୍ରେ ହୋଇଥିବା ପରାଜୟର ମଧୁର ପ୍ରତିଶୋଧ ନେଇ ଭାରତ ୫୮ ରନ୍ରେ ପାକିସ୍ତାନକୁ ପରାସ୍ତ କରିଛି। ବୁଧବାର ଭାରତ ସେମିଫାଇନାଲ୍ରେ ଆଫଗାନିସ୍ତାନ ସହ ମୁକାବିଲା କରିବ।ରବିବାର ପ୍ରଥମେ ବ୍ୟାଟିଂ କରି ଭାରତ ଆରମ୍ଭରେ ସଂକଟରେ ପଡ଼ିଥିଲା। କ୍ରମାଗତ ୩ ବଲ୍ରେ ୱିକେଟ୍ ହରାଇ ଦଳ ୪୭/୩ରେ ଥିଲା। ତଥାପି ବେଦାନ୍ତ ତ୍ରିବେଦୀଙ୍କ ଆକର୍ଷଣୀୟ ୬୮ ରନ୍, କନିଷ୍କ ଚୌହାନଙ୍କ ୩୫, ସୂର୍ଯ୍ୟବଂଶୀ ସୂରଜଙ୍କ ୩୦ ଏବଂ ଆର୍ ଅମ୍ବ୍ରିଶଙ୍କ ୨୯ ରନ୍ ପାଳି ବଳରେ ଭାରତ ୨୫୨ ରନ୍ର ସମ୍ମାନଜନକ ସ୍କୋର ତିଆରି କରିଥିଲା। ପାକିସ୍ତାନ ପକ୍ଷରୁ ଅବଦୁଲ ଶୁଭନ ୩ ଏବଂ ମହମଦ ସାୟମ ୨ଟି ୱିକେଟ୍ ନେଇଥିଲେ।ଜବାବରେ ପାକିସ୍ତାନ ଏକ ସମୟରେ ଭଲ ସ୍ଥିତିରେ ଥିଲା। ୩୦ତମ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୫୧ ରନ୍ କରିଥିବା ଦଳ ହଠାତ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଅଧିନାୟକ ଆୟୁଷ ମହାତ୍ରେ ଓ ଖିଲନ ପଟେଲ୍ ପ୍ରତ୍ୟେକ ୩ଟି କରି ୱିକେଟ୍ ନେଇ ଦଳକୁ ବିଜୟ ଦେଇଥିଲେ।ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ କନିଷ୍କ ଚୌହାନ (୩୫ ରନ୍ ଓ ୧/୩୦) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ଚୟନିତ ହୋଇଥିଲେ।
