ଗଜପତିରେ ବଢ଼ିଲା ତମାଖୁ କଳାବଜାର ।
ଗଜପତି,୨୫.୧(ମନୋଜ ପାଢ଼ୀ)-: ରାଜ୍ୟ ସରକାର ସମସ୍ତ ଗୁଟଖା, ପାନମସଲା, ଜର୍ଦ୍ଧା, ଖଇନି ଏବଂ ତମାଖୁ ତଥା ନିକୋଟିନଯୁକ୍ତ ସମସ୍ତ ଉତ୍ପାଦର ବିକ୍ରି ଉପରେ ନିଷେଧାଦେଶ ଜାରି କରିଛନ୍ତି। ଫଳରେ ଦୋକାନ ଗୁଡ଼ିକରେ ଖୋଲାଖୋଲି ତମାଖୁ ବିକ୍ରି ହେଉ ନଥିବା ବେଳେ ତମାଖୁ ସେବନରେ ଅଭ୍ୟସ୍ତ ଗ୍ରାହକ ଏବେ ବିକଳ୍ପ ଖୋଜୁଥିବାରୁ ଏହାର ସୁଯୋଗ ନେଇ ଦୋକାନୀ କଳାବଜାର ଆରମ୍ଭ କରିଦେଇଛନ୍ତି। ଦୁଇଗୁଣା ଚଢ଼ାଦରରେ ଲୋକଙ୍କୁ ତମାଖୁ ବିକ୍ରି କରାଯାଉଛି। କାରଣ ଆଗରୁ କେବଳ ଗୁଟଖା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏବେ ନିକୋଟିନଯୁକ୍ତ ସମସ୍ତ ପଦାର୍ଥକୁ ନିଷିଦ୍ଧ କରିବା ଫଳରେ କଳାବଜାର ଅଧିକ ଚିନ୍ତାଜନକ ଭାବେ ବଢ଼ିଛି।
ଯେଉଁ ହୋଲସେଲ୍ ବ୍ୟବସାୟୀମାନେ ଏସବୁ ସାମଗ୍ରୀକୁ ଗଚ୍ଛିତ ରଖିଥିଲେ ସେମାନେ ଦରକୁ ବଢ଼ାଇଦେଇଛନ୍ତି। ଆଉ ଲାଭବାନ୍ ହେଉଛନ୍ତି ଦୋକାନୀମାନେ ବି ଲୁଚାଛପାରେ ଏହାକୁ ବିକ୍ରି କରୁଛନ୍ତି । ବିଭିନ୍ନ ନାମୀ ଓ ବେନାମୀ କମ୍ପାନିର ତମାଖୁ ବିକ୍ରି ହେଉଛି ଫଳରେ ଧରପଗଡ଼ର ଏବେ ଆବଶ୍ୟକତା ରହିଛି।ଉପଜିଲ୍ଲାପାଳ ଅନୁପ ପଣ୍ଡା କହିଛନ୍ତି ସରକାରଙ୍କ ପକ୍ଷରୁ ଏଯାବତ୍ କୌଣସି ନିର୍ଦ୍ଦେଶନାମା ଆସିନାହିଁ| ନିର୍ଦ୍ଦେଶନାମା ଆସିଲେ ସ୍ବତନ୍ତ୍ର ଟିମ୍ ଗଠନ ସହ ଚଢ଼ଉ ହେବ। ଏସ୍ପି ଯତୀନ୍ଦ୍ର ପଣ୍ଡା କହିଛନ୍ତି ସମସ୍ତ ଥାନାଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି। ଯଥାଶୀଘ୍ର ଧରପଗଡ଼ ହେବ ।
