ପ୍ରୟାଗରାଜ: ଉତ୍ତରପ୍ରଦେଶର ପବିତ୍ର ପ୍ରୟାଗରାଜ ମାଘ ମେଳା ଏବେ ଆଧ୍ୟାତ୍ମିକତା ବଦଳରେ ଦୁଇ ପ୍ରମୁଖ ସନ୍ଥଙ୍କ ବିବାଦକୁ ନେଇ ଚର୍ଚ୍ଚାରେ। ଜ୍ୟୋତିଷ ପୀଠର ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଏବଂ ପ୍ରସିଦ୍ଧ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍-ଯୁଦ୍ଧ ଏବେ କୋର୍ଟ କଚେରୀ ପର୍ଯ୍ୟନ୍ତ ଯିବାକୁ ବସିଲାଣି। ଶଙ୍କରାଚାର୍ଯ୍ୟ ଉପାଧି ଏବଂ ପ୍ରଶାସନିକ କଟକଣାକୁ ନେଇ ସନ୍ଥ ସମାଜରେ ଫାଟ ଦେଖାଦେଇଛି।

ବିବାଦର ମୂଳ କାରଣ:ମୌନୀ ଅମାବାସ୍ୟା ଅବସରରେ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ରଥ ଚଢ଼ି ସଙ୍ଗମକୁ ସ୍ନାନ ପାଇଁ ଯିବାକୁ ଜିଦ୍ ଧରିଥିଲେ। ମାତ୍ର ଅତ୍ୟଧିକ ଭିଡ଼ ଯୋଗୁଁ ପ୍ରଶାସନ ତାଙ୍କ ରଥକୁ ଅନୁମତି ଦେଇନଥିଲା, ଯାହାକୁ ନେଇ ସେ ଧାରଣାରେ ବସିଥିଲେ। ଏହା ପରେ ମେଳା ପ୍ରଶାସନ ପକ୍ଷରୁ ତାଙ୍କୁ ‘ଶଙ୍କରାଚାର୍ଯ୍ୟ’ ଉପାଧି ବ୍ୟବହାର ନକରିବା ପାଇଁ ଏକ ନୋଟିସ ଜାରି କରାଯାଇଛି।
ପ୍ରଶାସନ ବିରୋଧରେ କୋର୍ଟ ଯିବେ ଅବିମୁକ୍ତେଶ୍ୱରାନନ୍ଦ:ପ୍ରଶାସନର ଏହି ଆଭିମୁଖ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ। ସେ ପ୍ରଶାସନକୁ ‘ଅହଂକାରୀ’ କହିବା ସହ ୮ ପୃଷ୍ଠାର ଏକ କଡ଼ା ଜବାବ ଦେଇଛନ୍ତି। “ଶାସନ କଳ ଜଣେ ସନ୍ନ୍ୟାସୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କ ଉପାଧି ଉପରେ ପ୍ରଶ୍ନ ଉଠାଉଛି, ଆମେ ଏହାର ଆଇନଗତ ମୁକାବିଲା କରିବୁ” ବୋଲି ସେ ଚେତାବନୀ ଦେଇଛନ୍ତି।
