ପ୍ରବଳ ଜନସମାଗମ ମଧ୍ୟରେ ପବିତ୍ର ସୀତା ପାହଡରେ ମକର ମେଳା ଅନୁଷ୍ଠିତ ।
ଗଜପତି (ମନୋଜ ପାଢ଼ୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରାବନ୍ଧ ଗ୍ରାମ ନିକଟରରେ ଥିବା ପବିତ୍ର ସୀତା ପାହାଡରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମକର ସଂକ୍ରାନ୍ତୀ ପରଦିନ ଏହି ମେଳା ଏଠାରେ ଅନୁଷ୍ଠିତ ହୋଇଥିଲା । ଏହି ସୀତା ପର୍ବତକୁ ମକର ସଂକ୍ରାନ୍ତି ପରଦିନ ଅର୍ଥାତ ଆଜି ଉଭୟ ଓଡିଶା-ଆନ୍ଧ୍ର ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଓ ଜନସାଧାରଣ ମକର ମେଳାରେ ଯୋଗଦେଇଥିବାର ଦେଖିବାକୁ ମିଳିଛି । ପ୍ରକୃତିର ବରଦାନ ଅନୁଯାୟୀ ଗୋଟାଏ ବିରାଟ ବିରାଟକାୟ ପଥରରେ ସୀତାପର୍ବତର ଦୃଶ୍ୟ ଅତି ମନୋହର । ଦେଖଣାହାରିଙ୍କ ମନକୁ ଏହାର ସବୁଜିମା ବେସ ଆକର୍ଷିତ କରିଥାଏ ।
ସମୂଦ୍ରପତ୍ତନଠାରୁ ୪ଶହ ଫୁଟ ଉଚ୍ଚତା ଓ ୨ଶହ ଫୁଟ ଓସାରରେ ଗୋଟାଏ ବିରାଟ ପଥର ଭଳି ଥିବା ଏହି ପର୍ବତରେ ରଘୁପତି ରାମଚନ୍ଦ୍ର, ମାଁ ସୀତାଦେବୀ ଓ ହନୁମାନଙ୍କ ମନ୍ଦିର ରହିଛି । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ରାମ, ସୀତା ଓ ହନୁମାନ ବନବାସ ସମୟରେ ଏହି ପର୍ବତରେ ଆଶ୍ରୟ ନେଇଥିଲେ । ଏଥିଅନୁଯାୟୀ ପର୍ବତରେ ସୀତାଙ୍କ ପାଦଚିହ୍ନ ରହିଛି । ତେଣୁ ଭକ୍ତମାନେ ଅତ୍ୟନ୍ତ ଭକ୍ତିର ସହ ଏଠାରେ ପୂଜାର୍ଚ୍ଚନା କରିବା ସହ ମେଳାରେ ଆନନ୍ଦ ନେଇଥାନ୍ତି । ଏହି ମେଳାକୁ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ ପ୍ରଶାସନ ଓ ପୋଲିସ ତରଫରୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବାର ଦେଖାଯାଇଥିଲା ।
ସେହିପରି ସୀତାପାହଡ କମିଟି ସମେତ ଗାରବନ୍ଧ, ବଡକତୁରୁ, ଛତ୍ରପୁର ଆଦି ଗ୍ରାମବାସୀ ଏହି ଜନସମାଗମର ମେଳାକୁ ସହଯୋଗ କରିଆସୁଛନ୍ତି । ସୀତା ପାହାଡ ଉନ୍ନୟନ କମିଟିର ପ୍ରଫୁଲ ପାତ୍ରଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ହେଉଛି । ସେହିପରି ଆଇନ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବାପାଇଁ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଚାରିଟି ଥାନାର ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ମୁତୟନ ହୋଇଥିବାର ଦେଖିବାକୁ ମିଳିଥିଲା ।
