ଗଜପତି ଜିଲ୍ଲାର 8 ମୁଖ୍ୟ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ8ଟି ରାସ୍ତା ପ୍ରକଳ୍ପକୁ 226 କୋଟି 58 ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ।
ଗଜପତି,୧୨.୧(ମନୋଜ ପାଢ଼ୀ)ଗଜପତି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବୀକୁ ପୁରଣ କରିଛନ୍ତି ରାଜ୍ୟସରକାର । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଜପତି ଜିଲ୍ଲାର 8 ଗୋଟି ମୁଖ୍ୟରାସ୍ତା ନିର୍ମାଣ ଲାଗି 8ଟି ପ୍ରମୁଖ ରାସ୍ତା ପ୍ରକଳ୍ପ ଗୁଡିକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ସମତେ ବିଭାଗୀୟ ଉଚ୍ଚପଦାଧିକାରୀମାନେ ଉପସ୍ଥିତଥିଲେ । ଏନେଇ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ୍ କକ୍ଷଠାରେ ଶିଳାନ୍ୟାସ ଉଦ୍ଘାଟନର ସିଧାପ୍ରସାରଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ଭିତ୍ତିପ୍ରସ୍ତର ଫଳକଗୁଡିକର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନାଗା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମିତାଭ ପଣ୍ଡା, ପୂର୍ତ୍ତବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ.ଅଭିଷେକ ସେଠୀ, ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ଦାସ ପ୍ରମୁଖଙ୍କ ସମେତ ପୂର୍ତ୍ତବିଭାଗର ଯନ୍ତ୍ରୀମାନେ ଉପସ୍ଥିତଥିଲେ । ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ମୋହନା ଓ ପାରଳାଖେମୁଣ୍ଡିର 8 ଗୋଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏଥିରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର 3 ଗୋଟି ପ୍ରକଳ୍ପ ରହିଥିବା ବେଳେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି 5 ଗୋଟି ରାସ୍ତା ପ୍ରକଳ୍ପ ରହିଛି ।
ବହୁ ପ୍ରତିକ୍ଷିତ ପାରଳାଖେମୁଣ୍ଡି ବାଇପାସ 4.277 କିମି ରାସ୍ତା ନିର୍ମାଣ ପାଇଁ 47 କୋଟି 48 ଲକ୍ଷ ଟଙ୍କା, ଗୋପିଲୀ ରାଜ୍ୟରାଜପଥ -4 ଠାରୁ କିଞ୍ଚିଲିଙ୍ଗି 7.421 କିମି ରାସ୍ତାର ଉନ୍ନତି କରଣ ପାଇଁ 15 କୋଟି 54 ଲକ୍ଷ ଟଙ୍କା ଏବଂ ବାଘଶାଳା-ଅଗରଖଣ୍ଡି ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଜାତୀୟରାଜପଥ ପର୍ଯ୍ୟନ୍ତ 6.045 କିମି ରାସ୍ତାର ଉନ୍ନତି କରଣ ପାଇଁ 12 କୋଟି 23 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେହିପରି ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର ନୂଆଗଡ ଠାରୁ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ସେରଙ୍ଗ ପର୍ଯ୍ୟନ୍ତ 16.600 କିମି ରାସ୍ତାର ଉନ୍ନତି କରଣ ପାଇଁ 40 କୋଟି 30 ଲକ୍ଷ ଟଙ୍କା, ରାମଗିରି-ଜିରାଙ୍ଗ-ନାରାୟଣପୁର 15.000କିମି ରାସ୍ତାର ଉନ୍ନତିକରଣ ପାଇଁ 12 କୋଟି 7 ହଜାର ଟଙ୍କା, ଜିରାଙ୍ଗ-କଇଁପୁର 12.313 କିମି ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତି ପାଇଁ 17 କୋଟି 68 ଲକ୍ଷ ଟଙ୍କା, ଚାନ୍ଦିପୁଟ-ଲୁହାଗୁଡି 13.316 କିମି ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତିକରଣ ପାଇଁ 28 କୋଟି 9ଲକ୍ଷ ଟଙ୍କା ଓ ଆର୍.ଉଦୟଗିରି-ସମ୍ବଲପୁର 19.138 କିମି ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତି ପାଇଁ 53 କୋଟି 25 ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ହୋଇଛି ।
ଜିଲ୍ଲାରେ ମୋଟ 94.11 କିମି ରାସ୍ତା ନିର୍ମାଣ, ପ୍ରଶସ୍ତିକରଣ ଏବଂ ଉନ୍ନତିକରଣ ପାଇଁ ମୋଟ 226 କୋଟି 58 ଲକ୍ଷ ବ୍ୟୟ ମଞ୍ଜୁର ହୋଇଥିବା ବେଳେ ଏଥି ମଧ୍ୟରେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର 76.367 କିମି ରାସ୍ତା ପାଇଁ 151କୋଟି 32 ଲକ୍ଷ 71 ହଜାର ଟଙ୍କା ଏବଂ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ 17.743 କିମି ରାସ୍ତା ପାଇଁ 75 କୋଟି 25 ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର ହୋଇଥିବାର ଜଣାପଡିଛି ।
ଏନେଇ ମୋହନା ବିଧାୟକ ଶ୍ରୀ ଗମାଙ୍ଗ କହିଛନ୍ତି ଯେ ଗଜପତି ଜିଲ୍ଲାର ବିକାଶ ପଥକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ରାସ୍ତାର ଉନ୍ନତି ଓ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା ପ୍ରଶଂସନୀୟ ଅଟେ । ଦଳ ମତ ନିର୍ବିଶେଷରେ ସମସ୍ତ ଗଜପତି ବାସୀ ମୋହନ ସରକାରଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କହିଥିଲେ । ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପଦକ୍ଷେପକୁ ସ୍ୱାଗତ କରିବା ସହ ଭୁରିଭୁରି ପ୍ରଶଂସା କରିଛନ୍ତି ।
ଜିଲ୍ଲାରେ ମୁଖ୍ୟକରି ରାସ୍ତା ପ୍ରକଳ୍ପ ହେବା ଦ୍ୱାରା ସାଧାରଣ ଲୋକଙ୍କ ଗମନାଗମରେ ବହୁ ସୁବିଧା ହେବାସହ ବ୍ୟବସାୟ ଓ ବିକାଶ ବୃଦ୍ଧି ହେବ ହୋଇପାଇବ ବୋଲି କହିଛନ୍ତି । ମୁଖ୍ୟତଃ ପାରଳାଖେମୁଣ୍ଡିର ବାଇପାସ ରାସ୍ତା ନିର୍ମାଣ ହେବା ବହୁ ଦିନର ଦାବି ରହିଥିଲା ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ ପାରଳାଖେମୁଣ୍ଡି ସହରର ବାଇପାସ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବୀ ହୋଇ ଆସୁଥିଲା । ବିଗତ ସରକାର ମଧ୍ୟ ଏହି ବାଇପାସ ରାସ୍ତା ନିର୍ମାଣ ପାଇଁ ସେତେବେଳେ 54କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲେ । ହେଲେ ସରକାର ବଦଳି ଯାଇଥିଲା । ଇତି ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ 2024ରେ ଶ୍ରୀ ପାଣିଗ୍ରାହୀ ବିଧାୟକ ଭାବେ ନିର୍ବାଚିତ ହେବାପର ଠାରୁ ପାରଳା ସହରବାସୀଙ୍କ ଏହି ଦାବୀକୁ ବିଧାନସଭାରେ ବାରମ୍ବାର ପ୍ରସଙ୍ଗ ଉପସ୍ଥାପନ କରିଆସୁଥିଲେ ।
ଯାହାକି ଆଜି ଏହି ବାଇପାସ ରାସ୍ତା ସମେତ ଜିଲ୍ଲାର 8 ଗୋଟି ରାସ୍ତାର ଉନ୍ନତି ତଥା ନିର୍ମାଣ ପାଇଁ ଶିଳାନ୍ୟାସ ବା ଲୋକାର୍ପଣ ହୋଇଥିବାକୁ ନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
