ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ଗଜପତି,୬.୧.(ମନୋଜ ପାଢ଼ୀ): ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ ଗଜପତି ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନର ସଭା ଗୃହ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ପାଣି ପଞ୍ଚାୟତର ଚାଷୀ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ବଂଶଧାରା ଓ ନାଗାବଳୀ ଅଭିବାହକ ଏ. ରାମପ୍ରସାଦ ରାଓ, ଗଜପତି କ୍ଷୁଦ୍ର ଜଳସେଚନର ଅଧୀକ୍ଷକ ଯନ୍ତ୍ରୀ ସିମାଚଳ ଶତପଥୀ, ଜଳସେଚନ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ସରୋଜ କୁମାର ନାୟକ, ଗୋଷାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ୍.ବୀରରାଜୁ, କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲା ସାୟାମ୍ମା, ଜିଲ୍ଲାପରିଷଦ ସଭ୍ୟ ଏସ୍. ବାଲାରାଜୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ପାଣିଗ୍ରାହୀ ପାଣି ପଞ୍ଚାୟତ ପକ୍ଷ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅତିଥିମାନେ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନ ନିମନ୍ତେ ବିଭାଗୀୟ ଅଧିକାରୀ ଓ କୃଷକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଛାତ୍ର/ଛାତ୍ରୀଙ୍କ ଲାଗି ଓଡିଆ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । କୃତିତ୍ୱ ହାସଲ କରିଥିବା ଛାତ୍ର/ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରଷ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କ୍ଷୁଦ୍ର ଜଳସେଚନ ବିଭାଗର ସରକାରୀ ନିର୍ବାହୀଯନ୍ତ୍ରୀ ଆଶିଷ ମଲ୍ଲିକ, ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଇଂ. ମୋହିତ ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ସମସ୍ତ ଅଧିକାରୀ, କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚାଷୀ ତଥା ବିଭିନ୍ନ ପାଣି ପଞ୍ଚାୟତର କର୍ମକର୍ତ୍ତାମାନେ ଯୋଗଦେଇ ନିଜ ନିଜ ମତ ରଖିଥିଲେ । ଜିଲ୍ଲାରେ ଜଳ ପରିଚାଳନାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଶପଥପାଠ କରାଯାଇଥିଲା ।
