ପାଟନାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ‘ନଗରଶତ୍ରୁ’, ୫୦୦ ଟଙ୍କା ଜରିମାନା
ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ପାଟନା ନଗର ନିଗମର କଡ଼ା ନିଷ୍ପତ୍ତି, ୩,୩୦୦ ସିସିଟିଭି କ୍ୟାମେରାରେ ରଖାଯିବ ନଜର
ପାଟନା: ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ପାଟନା ନଗର ନିଗମ ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା କିମ୍ବା ପାନ ଛେପ ପକାଇ ସହରକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କୁ ‘ନଗରଶତ୍ରୁ’ ଭାବେ ଘୋଷଣା କରାଯିବ।
ଏହା ସହ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ୫୦୦ ଟଙ୍କାର ତୁରନ୍ତ ସ୍ପଟ୍ ଫାଇନ୍ ଲଗାଯିବ।ନଗର ନିଗମର ନୂତନ ନିଷ୍ପତ୍ତି ଅନୁଯାୟୀ, ସହରର ପରିମଳ ବ୍ୟବସ୍ଥାକୁ ବିଗାଡ଼ୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଫଟୋ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶିତ କରାଯାଇପାରିବ। ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ସହ ରୋଗ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଏହି ନିୟମ ଆଣାଯାଇଛି।
ବିଶେଷ କରି ସରକାରୀ କୋଠା, ପାର୍କ ଏବଂ ପ୍ରମୁଖ ଛକଗୁଡ଼ିକରେ ସିସିଟିଭି ମାଧ୍ୟମରେ ନଜର ରଖାଯିବ। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ପ୍ରାୟ ୩,୩୦୦ଟି ସିସିଟିଭି କ୍ୟାମେରା ଲୋକଙ୍କ ଉପରେ ନଜର ରଖିବ। ଛେପ ପକାଉଥିବା ବ୍ୟକ୍ତିଙ୍କ ଫଟୋ ସହରର ବିଭିନ୍ନ ଛକରେ ଥିବା ଡିଜିଟାଲ୍ ସ୍କ୍ରିନ୍ରେ ଦେଖାଯିବ।ପାଟନା ଜଙ୍କସନ ସହ ସଂଯୋଗ କରୁଥିବା ସବ୍ୱେରେ ଏହି ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। କିଛି ସ୍ଥାନରେ ଜରିମାନା ୧,୦୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ହୋଇପାରେ।
ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି।ପରିବେଶବିତ୍ମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ, ସାଧାରଣ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିୟମ ଉଲ୍ଲଂଘନ କଲେ ତୁରନ୍ତ ସ୍ପଟ୍ ଫାଇନ୍ ଆଦାୟ କରାଯିବାର ବ୍ୟବସ୍ଥା ରହିଛି।
