ସେମିଳିଗୁଡ଼ା ପ୍ରେସ କ୍ଲବର ରଜତ ଜୟନ୍ତୀ ସମାରୋହ ଭବ୍ୟ ଭାବେ ପାଳିତ
କୋରାପୁଟ (information Media Chandan Prasad):
ସେମିଳିଗୁଡ଼ା ପ୍ରେସ କ୍ଲବର ରଜତ ଜୟନ୍ତୀ ସମାରୋହ ଦୁଇ ପର୍ଯ୍ୟାୟରେ ଭବ୍ୟ ଭାବେ ପାଳିତ ହୋଇଯାଇଛି। ସମାରୋହର ପ୍ରଥମ ପର୍ଯ୍ୟାୟ ପ୍ରାତଃକାଳୀନ ‘ଶବ୍ଦ ଉତ୍ସବ’ ଦ୍ୱାରା ଆରମ୍ଭ ହୋଇଥିଲା।
ଏହି ଅବସରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନର ମହାସଚିବ ଦଣ୍ଡପାଣି ମହାପାତ୍ର, ଦିଏଭି ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼. ପ୍ରୀତି ଧାରା ସାମଲ, ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଡ଼. ପ୍ରଦୀପ ମିଶ୍ର, ଭୂଦାନ ନେତା ଓ ଶିକ୍ଷାବିଦ କୃଷ୍ଣ ସିଂହ ଓ ବିଶିଷ୍ଟ କଥାକାର ନାରାୟଣ ପଣ୍ଡା ଯୋଗଦେଇ ଶବ୍ଦର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ସାହିତ୍ୟର ବର୍ତ୍ତମାନ ବିପର୍ଯ୍ୟୟ ସ୍ଥିତି ଉପରେ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା।
ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ କବି ଓ ଗଳ୍ପକାର ନିଜ-ନିଜ ସାରସ୍ୱତ ରଚନା ଉପସ୍ଥାପନ କରିଥିଲେ। ଏହି ସତ୍ରର ସଂଯୋଜନା ଡ଼. ଅଶୋକ କୁମାର ମହାନ୍ତି କରିଥିଲେ। ସ୍ନିଗ୍ଧା ସିଠ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ୱର୍ଣ୍ଣପ୍ରଭା ମୁନି ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ନରେ ମୁଖ୍ୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, କୋରାପୁଟ ଡିଏଫଓ କେ.ଭି. ଭାସ୍କର ରାଓ ଓ ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ଡ଼. ରାଜେନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ପ୍ରେସ କ୍ଲବ ସଭାପତି ଡ଼. ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସମ୍ପାଦକ ମନୋଜ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ‘ଅନ୍ୱେଷଣ ଶାନ୍ତି’ ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ।
ଏହି ଅବସରରେ ବିଚିତ୍ରାନନ୍ଦ ପଣ୍ଡାଙ୍କୁ ‘କୋରାପୁଟ ଗୌରବ’, ଚୈତ୍ରୁଚିକା ଦିବ୍ୟଦର୍ଶିନୀଙ୍କୁ ‘କୋରାପୁଟ ପ୍ରତିଭା’, ଜଳଧର ସ୍ୱାଇଁଙ୍କୁ ‘ପ୍ରେସ ସାରସ୍ୱତ ସମ୍ମାନ’, ସୁଦର୍ଶନ ନାୟକଙ୍କୁ ‘ପ୍ରେସ ଗୌରବ’, ଶ୍ରୀକାନ୍ତ ଚୌଧୁରୀଙ୍କୁ ‘ଆମ ପ୍ରିୟ ସାମ୍ବାଦିକ’ ଓ ଆନନ୍ଦ ପାଟୱାନିଆଙ୍କୁ ‘ସମାଜ ସେବୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ପ୍ରେସ କ୍ଲବର ସମସ୍ତ ସଦସ୍ୟଙ୍କୁ ସ୍ମୃତି ଫଳକ ଓ ଟି-ଶର୍ଟ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବ୍ୟକ୍ତି ଓ ସଂଗଠନକୁ ମଧ୍ୟ ସ୍ମୃତି ଫଳକ ଦିଆଯାଇଥିଲା।
ମଞ୍ଚ ପରିଚାଳନାରେ କର୍ମା ରାଓ, କିଶୋର ବେହୁରା, ଜଗଦୀଶ ସାହୁ, ସ୍ୱସ୍ତିକ ମିଶ୍ର, ସଧର ରାଉତ, ବାସୁ ବରାଡ଼, ନରେନ୍ଦ୍ର ରାଉତ ଓ ଶେଖ ଇବ୍ରାହିମ ସହଯୋଗ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଜୟପୁରର ମୀରା ଡ୍ୟାନ୍ସ ଏକାଡେମୀ ଓ ସେମିଳିଗୁଡ଼ାର ଏକାଡେମୀ କଳାକାରମାନେ ଆକର୍ଷଣୀୟ ଚିତାକର୍ଷକ ନୃତ୍ୟ ପରିବେଷଣ କରି ସଭାକୁ ଆନନ୍ଦମୟ କରିଥିଲେ।

