ସର୍ଟସର୍କିଟ ଯୋଗୁଁ ଘରେ ନିଆଁ ଲାଗିଲା
ଗଜପତି,୨୬.୧୨.୨୦୨୫(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦ ୱାର୍ଡ ନମ୍ବର 6 ଅନ୍ତର୍ଗତ ରେଲିସେରି ସାହିର ଏକ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ପ୍ରାୟ 12 ଘଣ୍ଟା ସମୟରେ କେ. ପ୍ରଶାନ୍ତି ନାମକ ଜଣେ ମହିଳାଙ୍କ ଘରେ ସର୍ଟସର୍କିଟ ଘଟିଥିଲା । ନିଆଁ ଲାଗିଥିବା ଅବସ୍ଥାରେ ତାର ଗୁଡିକ ଖଟର ସେଜ ଉପରେ ପଡିଯିବା ଯୋଗୁଁ ନିଆଁ ଜର୍ ଧରି ଘରର ସମସ୍ତ ଆସବାବପତ୍ରକୁ ନିଆଁ ବ୍ୟାପିଯାଇଥିଲା । ଫଳରେ ଘରର ସମସ୍ତ ସାମଗ୍ରୀ ପୋଡିପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଛି ।
ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା । ଘରର ସମସ୍ତ ଦସ୍ତାବିଜ ଠାରୁ ଆରମ୍ଭ କରି ପୋଷାକ, ଘରେ ରଖିଥିବା ନଗଦ ଟଙ୍କା ଆଦି ପୋଡି ପାଉଁଶ ହୋଇଯାଇଛି । କେ. ପ୍ରଶାନ୍ତି ଜଣେ ଗରିବ ଶ୍ରେଣୀର ମହିଳା ହୋଇଥିବା ବେଳେ ତାଙ୍କର ଦୁଇଝିଅ ଏବଂ ମାଙ୍କ ସହ ରହିଆସୁଛନ୍ତି । ତାଙ୍କ ସ୍ବାମୀ ଆନ୍ଧ୍ରରେ ଦାଦନ ଭାବେ କାର୍ଯ୍ୟ କରୁଥିବାର ସାହିବାସିନ୍ଦା ପ୍ରକାଶ କରିଛନ୍ତି । ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଏବଂ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପହଞ୍ଚି ପ୍ରଶାନ୍ତିଙ୍କ ସହ ଆଲୋଚନା କରିଥିଲେ ।
ବିଧାୟକ ଶ୍ରୀ ପାଣିଗ୍ରାହୀ କ୍ଷତିଗ୍ରସ୍ତ ମହିଳାଙ୍କୁ ନିଜ ତରଫରୁ ଆର୍ଥିକ ରାଶି ପ୍ରଦାନ କରି ଯଥା ସମ୍ଭବ ସହାୟତା ପାଇଁ ପାରଳାଖେମୁଣ୍ଡି ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଆବାସିକ ଯୋଜନାରେ ଘର ଯୋଗାଇବାପାଇଁ ଫୋନ୍ ଯୋଗେ ଆଲୋଚନା କରିଥିଲେ । ସେହିପରି ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ ପୌରପରିଷଦ ପକ୍ଷରୁ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
