ଡାକ୍ତର–ଇଞ୍ଜିନିୟର ହେବାକୁ ପିଲାଙ୍କ ଉପରେ ଚାପ ପକାନ୍ତୁନି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବ୍ରହ୍ମପୁର:ପିଲାମାନେ ଯାହା ହେବାକୁ ଚାହୁଛନ୍ତି, ସେଥିପାଇଁ ସେମାନଙ୍କୁ ସ୍ୱାଧୀନତା ଦିଆଯାଉ। ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ପିଲାଙ୍କ ଉପରେ ମାନସିକ ଚାପ ଦିଆନଯାଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ବୁଧବାର ବ୍ରହ୍ମପୁର ନୀଳକଣ୍ଠନଗର ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେଇ ସେ ଏହି କଥା କହିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାଙ୍କ ଭବିଷ୍ୟତ ନିଷ୍ପତ୍ତି ପିଲାଙ୍କ ହାତରେ ରହିବା ଉଚିତ। ଅଭିଭାବକ ଓ ଶିକ୍ଷକମାନେ ପ୍ରଥମେ ପିଲା କ’ଣ ହେବାକୁ ଚାହୁଁଛି, ତାହା ପଚରିବା ଜରୁରି।
ଅତ୍ୟଧିକ ପାଠପଢ଼ା ଓ କୋଚିଂ ଚାପ ପିଲାଙ୍କ ବୌଦ୍ଧିକ ବିକାଶକୁ ବାଧା ଦେଇଥାଏ ବୋଲି ସେ କହିଥିଲେ।ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କ୍ରୀଡା ସହିତ ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପିଲାମାନେ ସଫଳ ହୋଇପାରନ୍ତି। କେବଳ ସରକାରୀ ଚାକିରି ପଛରେ ନ ପଡ଼ି ନିଜ ଆଗ୍ରହ ଅନୁଯାୟୀ କ୍ୟାରିୟର ବାଛିବାକୁ ସୁଯୋଗ ଦେବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।
