ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଥିବା ମହିଳାଙ୍କୁ ଗଜପତି ପୋଲିସର ଗାର୍ଡ ଅଫ ଅନର ସମ୍ମାନ ।

ଗଜପତି , 2/11(ମନୋଜ ପାଢୀ): ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଥିବା ମହିଳାଙ୍କୁ ଗଜପତି ପୋଲିସର ଗାର୍ଡ ଅଫ ଅନର ସମ୍ମାନ ପ୍ରଦାନ କରାଯାଇ ଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ଥାନା ଖାରିଗୁମ୍ମା ଗାଁର ମହିଳା ଅବଳା ପାଳ ଗତ ରବିବାର ଦିନ ଆର. ଉଦୟଗିରି ବ୍ଲକର ଛେଳିଗଡ଼ ଗ୍ରାମରେ ଥିବା ନିଜ ଭଉଣୀଙ୍କ ଘରକୁ ଯାଇଥିଲେ । ହେଲେ ରାସ୍ତାରେ ଠିଆ ହୋଇଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଅବଳାଙ୍କୁ ପରିବାର ଲୋକେ ପ୍ରଥମେ ଛେଳିଗଡ଼ ଡାକ୍ତରଖାନା ଓ ପରେ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଚେତା ନଥିଲା। ଅଧୂକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତଥାପି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନ ହେବାରୁ ଭୁବନେଶ୍ଵର ଠାରେ ଥିବା ଏକ ଘରୋଇ ଉଚ୍ଚସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କ ମର ଶରୀରକୁ ଖାରିଗୁମା ଗାଁକୁ ଅଣାଯାଇଥିଲା। ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ ସହମତି ଅନୁଯାୟୀ ଅବଳାଙ୍କ ଅଙ୍ଗଦାନ ସହ କିଡ଼ନୀ ଓ ଲିଭର ଦାନ କରିଥିଲେ ପରିବାର ଲୋକେ। ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଥିବା ଏହି ମହିଳାଙ୍କୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ମର ଶରୀରକୁ ମୋହନା ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ସମ୍ମାନ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *