୩ ମାତୃ ପିତୃ ହୀନ ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ ।
ଆର, ଉଦୟଗିରି (ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ମୋହନା ବ୍ଲକର ମେରାପର୍ଲି ପଞ୍ଚାୟତ ଅନ୍ତର୍ଗତ ଲୁଡୁରୁ ଗ୍ରାମରୁ ଜିଲ୍ଲା ପ୍ରଶାସନ ୩ ଶିଶୁଙ୍କୁ ଉଦ୍ଧାର କରିଥିବାର ଜଣାପଡିଛି । ସୂଚନା ପ୍ରକାରେ ଲୁଡୁରୁ ଗ୍ରାମର ମାର୍ସଲ ନାୟକଙ୍କ ସ୍ତ୍ରୀ ସାବିତ୍ରୀ ନାୟକ ୪ ବର୍ଷ ପୂର୍ବରୁ ୩ ଟି ଶିଶୁଙ୍କୁ ଛାଡି ୨ୟ ବିବାହ କରି ଅନ୍ୟତ୍ର ଚାଲିଯାଇଛନ୍ତି । ଏପଟେ ମାର୍ସଲ ନାୟକ ଅତ୍ୟନ୍ତ ଗରିବ ହୋଇଥିବାରୁ ପିଲାଙ୍କ ଭରଣପୋଷଣ ପାଇଁ ଦାଦନ ଖଟିବାକୁ ଗୋଆ ରାଜ୍ୟକୁ ଚାଲିଯାଇଥିଲେ ମଜୁରି କରି ପିଲାଙ୍କ କଥା ବୁଝିବାକୁ । ହେଲେ ବିଧିର ବିଧାନ ଅଲଗା ଥିଲା । ଗୋଆରେ ଦିନ ମଜୁରି କରି ପିଲାଙ୍କୁ ପଠାଇ ବଢାଇଥିବା ସ୍ବପ୍ନ ଦେଖିଥିବା ମାର୍ସଲଙ୍କ ଗୋଆରେ ଅସୁସ୍ଥ ଅନୁଭବ କରି ୨୦୨୨ ଜାନୁଆରୀ ୨ ତାରିଖରେ ମୃତ୍ୟୁବରଣ କରିଥିଲେ । ଏପଟେ ତାଙ୍କ ତିନି ସନ୍ତାନ ଗ୍ରାମରେ ରହିଥିବା ତାଙ୍କ ଭଉଣୀ ଲରେନସା ନାୟକଙ୍କ ନିକଟରେ ରହିଥିଲେ । ୩ପିଲାଙ୍କ ମଧ୍ୟରେ ୨ ଝିଅ ରହିଥିବା ବେଳେ ଗୋଟିଏ ପୁଅ ରହିଛନ୍ତି । ଏମାନଙ୍କ ମଧ୍ୟରେ ବଡ ଝିଅର ବୟସ ୧୫ ହୋଇଥିବା ବେଳେ ପୁଅର ବୟସ ୧୪ ଏବଂ ସାନ ଝିଅର ବୟସ ୯ ଅଟେ । ମାର୍ସଲଙ୍କ ମୃତ୍ୟୁ ପରେ ତାଙ୍କ ତିନି ସନ୍ତାନ ଅତ୍ୟନ୍ତ ଅସହାୟ ହୋଇପଡିଥିଲେ । ଏନେଇ ମୋହନା ବିଡିଓଙ୍କ ନିକଟରେ ଏହି ତିନି ଅସହାୟ ଶିଶୁ ରହିଥିବାର ଖବର ପହଞ୍ଚିବାପରେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ମହୋନା ଶିଶୁ ଯତ୍ନ ଅନୁଷ୍ଠାର ପରିଚାଳକଙ୍କ ସହ ଉକ୍ତ ଗ୍ରାମରେ ପହଞ୍ଚି ଅତ୍ୟନ୍ତ ଅସହାୟରେ ରହିଥିବା ଶିଶୁ ମାନଙ୍କୁ ସାକ୍ଷାତ କରି ଗ୍ରାମବାସୀଙ୍କ ଆଲୋଚନା କରି ୩ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଶିଶୁ ମାନଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ଶିଶୁ କଲ୍ୟାଣ ସମିତିଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶିଶୁ ମାନଙ୍କ ଠାରୁ ସମସ୍ତ ବିଷୟ ଶୁଣିବା ପରେ ଶିଶୁ କଲ୍ୟାଣ ସମିତି ତିନି ଶିଶୁଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳବାଳାଶ୍ରମରେ ରହିବା ପାଇଁ ସୁପାରିସ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଶିଶୁମାନଙ୍କର ରହିବା, ଖାଇବା ଓ ପାଠ ପଢିବା ଦାୟିତ୍ବ ନିଆଯାଇଥିବାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ପ୍ରେସବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ।
