୧୪ତମ ଦଲାଇଲାମାଙ୍କ ୯୦ତମ ଜନ୍ମଦିନ ଅବସରରେ ଅନ୍ନଦାନ l
ଗଜପତି,(ମନୋଜ ପାଢ଼ୀ):- ଗଜପତି ଜିଲ୍ଲାର ଚନ୍ଦ୍ରଗିରି ତିବତୀୟଙ୍କ ପକ୍ଷରୁ ପରମ ପୂଜ୍ୟ ୧୪ତମ ଦଲାଇଲାମାଙ୍କ ୯୦ତମ ଜନ୍ମଦିନ ଅବସରକୁ “କରୁଣାର ବର୍ଷ” ଭାବେ ପାଳନ କରାଯାଉଛି। ଏହି ଅବସରରେ ସମଗ୍ର ବର୍ଷ ଧରି ବିଭିନ୍ନ ସେବାମୂଳକ ଓ ଦାନଧର୍ମ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ତିବ୍ବତୀୟ ସମ୍ପ୍ରଦାୟର ଲୋକମାନେ।ଏହାରି କ୍ରମରେ ଆଜି ଗଜପତି ଜିଲ୍ଲାର ଛେଳିଗଡ଼ ସାପ୍ତାହିକ ହାଟ ପଡ଼ିଆରେ ଏକ ବିଶାଳ ଅନ୍ନଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହାଟକୁ ଆସିଥିବା ଦୂରଦୂରାନ୍ତର ଶତାଧିକ ଲୋକଙ୍କୁ ନିଶୁଳ୍କ ଭାବେ ଭୋଜନ ବଣ୍ଟନ କରାଯାଇଥିଲା। ପୂର୍ବରୁ ମଧ୍ୟ ଏହି ଅବସରରେ ବିଭିନ୍ନ ସ୍ଥାନରେ ମୃଦୁ ପାନୀୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା lଏହି ସେବାମୂଳକ କାର୍ଯ୍ୟକ୍ରମରେ ତିବ୍ବତୀୟ ମହିଳା ସଂଘ, ଯୁବ ସଂଘ, ସେଟଲମେଣ୍ଟ ଅଫିସର ଓ ସେଟଲମେଣ୍ଟ ଚେୟାରମ୍ୟାନଙ୍କ ସହିତ ଅନେକ ସ୍ୱେଚ୍ଛାସେବୀ ସକ୍ରିୟ ଭାବେ ସହଯୋଗ କରିଥିଲେ।ଦଲାଇଲାମାଙ୍କ ଜନ୍ମବାର୍ଷିକୀକୁ କେବଳ ଉତ୍ସବ ଭାବେ ନୁହେଁ, ବରଂ ସେବା, କରୁଣା ଓ ମାନବିକତାର ବାର୍ତ୍ତା ପ୍ରଚାରର ମାଧ୍ୟମ ଭାବେ ପାଳନ କରୁଛନ୍ତି ଚନ୍ଦ୍ରଗିରିର ତିବ୍ବତୀୟ ସମ୍ପ୍ରଦାୟ ।
