*ସ୍ୱାୟତ୍ତ ଶାସନ ଦିବସରେ ଭେଟେରାନ ଆଥଲେଟ କିଶୋର ଚନ୍ଦ୍ର ରଥ ସମ୍ବର୍ଦ୍ଧିତ*
ଗଜପତି (ମନୋଜ ପାଢ଼ୀ) :-ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଜିଲ୍ଲାର ଗର୍ବ ତଥା ଭେଟେରାନ ଆଥଲେଟ ଶ୍ରୀ କିଶୋର ଚନ୍ଦ୍ର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ସାଧନା, ଉଲ୍ଲେଖନୀୟ ଆନ୍ତର୍ଜାତିକ ସଫଳତା ଏବଂ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବାରୁ ପୌର ପରିଷଦ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଶ୍ରୀ ରଥଙ୍କ କ୍ରୀଡ଼ା ପ୍ରତିଭା ଓ ଅବଦାନକୁ ସ୍ମରଣ କରାଯାଇ ଯୁବପିଢ଼ିଙ୍କ ପାଇଁ ସେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୂର୍ବରୁ ମଧ୍ୟ ଶ୍ରୀ କିଶୋର ଚନ୍ଦ୍ର ରଥ ନିଜର କ୍ରୀଡ଼ା ସାଧନା ପାଇଁ ସ୍ୱାଧିନତା ଦିବସ ଅବସରରେ ସମ୍ମାନିତ ହୋଇଥିଲେ।ପାରଳାଖେମୁଣ୍ଡି ପୌର ପରିଷଦର ଏହି ସମ୍ମାନ ଶ୍ରୀ ରଥଙ୍କ ପ୍ରତିଭା ଓ କ୍ରୀଡ଼ା ପ୍ରତି ତାଙ୍କର ନିଷ୍ଠାକୁ ସ୍ୱୀକୃତି ପ୍ରଦାନ କରିଛି। ଏହି ସମ୍ବର୍ଦ୍ଧନା ଅବସରରେ ପୌର ପରିଷଦର ଅଧ୍ୟକ୍ଷା, ଅଧିକାରୀବୃନ୍ଦ, ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ଓ ଅନ୍ୟ ଅତିଥିଗଣ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
