ଲଗାଣ ବର୍ଷାରେ ଗଜପତିରେ ବିପର୍ଯ୍ୟସ୍ତ ଜନଜୀବନ : ଜାତୀୟ ରାଜପଥରେ ଗଛ ପଡ଼ି ଅବରୋଧ, ପାରିବେଟା ରାସ୍ତାରେ ଭୂସ୍ଖଳନ, ତିଳିଗାଁରେ ୫ ପରିବାର ଘରହରା ।
ଗଜପତି, ୨୩/୦୯ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ବ୍ୟାହତ ହୋଇଛି। ଅବିରତ ବର୍ଷା ଯୋଗୁଁ ରାମଗିରି ଥାନା ନିକଟ ଜାତୀୟ ରାଜପଥ ଉପରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଗଛଟି ବିଦ୍ୟୁତ୍ ତାର ଉପରେ ପଡ଼ିଥିବାରୁ ତାର ଛିଣ୍ଡି ଯାଇ ବିଦ୍ୟୁତ୍ ସେବା ମଧ୍ୟ ବ୍ୟାହତ ହୋଇଥିଲା। ଫଳରେ ପାରଳାଖେମୁଣ୍ଡି-ରାମଗିରି-ମୋହନା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଆର୍.ଉଦୟଗିରି ଅଗ୍ନିଶମ ବାହିନୀ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ ଓ ବିଦ୍ୟୁତ୍ ତାର ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ସେହିପରି ଅବିରତ ବର୍ଷା ଯୋଗୁଁ ଆର୍.ଉଦୟଗିରି ବ୍ଲକର ପାରିବେଟା ଗାଁ ରାସ୍ତାରେ ଭୂସ୍ଖଳନ ଘଟି ମାଟି ଅତଡ଼ା ସହ ବଡ଼ ବଡ଼ ପଥର ରାସ୍ତା ଉପରକୁ ଖସି ପଡ଼ିଥିଲା। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ରାସ୍ତା ଉପରେ ପଥର ଓ ମାଟି ଜମି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଜେସିବି ମେସିନ୍ ମାଧ୍ୟମରେ ମାଟି ଅତଡ଼ା ଓ ପଥର ହଟାଇ ରାସ୍ତା ସଫା କରାଯାଇଥିଲା।ଅନ୍ୟପକ୍ଷରେ ଆର୍.ଉଦୟଗିରି ବ୍ଲକ ଛେଳିଗଡ଼ ପଞ୍ଚାୟତର ତିଳିଗାଁରେ ଲଗାଣ ବର୍ଷାର ପ୍ରଭାବରେ ୫ଟି ପରିବାରର ଘର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଘର ଭାଙ୍ଗିଯିବା ଫଳରେ ପରିବାର ସଦସ୍ୟମାନେ ଖୋଲା ଆକାଶ ତଳେ ଦିନ କାଟିବାକୁ ବାଧ୍ୟ ହୋଇଥିଲେ। ଖବର ପ୍ରସାରଣ ପରେ ପ୍ରଶାସନିକ ଅଧିକାରୀମାନେ ଗାଁରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତ ପରିବାରମାନଙ୍କୁ ଜରୁରୀ ଆଶ୍ରୟ ପାଇଁ ପାଲ (ତ୍ରିପାଲ) ବଣ୍ଟନ କରିଥିବା ଜଣାପଡ଼ିଛି। ତେବେ କ୍ଷତିଗ୍ରସ୍ତ ପରିବାରମାନେ ସ୍ଥାୟୀ ସରକାରୀ ସହାୟତା ଓ ଘର ମରାମତି ପାଇଁ ଅନୁଦାନ ପ୍ରଦାନ କରିବାକୁ ଦାବି କରିଛନ୍ତି। ବର୍ଷା ଜାରି ରହିଥିବାରୁ ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଆହୁରି ଭୂସ୍ଖଳନ ଓ କ୍ଷୟକ୍ଷତିର ଆଶଙ୍କା ରହିଛି।

