*ରୁଟି ଖାଇ ୬ ଜଣ ଅସୁସ୍ଥ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।
ଗଜପତି,୨୭.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କ୍ଷେତଡ଼ା ଗ୍ରାମରେ ରୁଟି ଖାଇ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ସମ୍ପୃକ୍ତ ପରିବାର ସାତମାଇଲ ଅଞ୍ଚଳର କୌଣସି ଏକ ଦୋକାନରୁ ଅଟା କିଣି ଘରକୁ ଆଣିଥିଲେ। ଉକ୍ତ ଅଟାରେ ଘରେ ରୁଟି ପ୍ରସ୍ତୁତ କରି ପରିବାର ସଦସ୍ୟମାନେ ଖାଇଥିଲେ। ରୁଟି ଖାଇବାର କିଛି ସମୟ ପରେ ସବିତା ରଇତ, ଲକ୍ଷ୍ମୀ ରଇତ, ଶିଡିଆ ରଇତ, ଅସଢା ଗମାଙ୍ଗ, ଦାଗିଡି ଗମାଙ୍ଗ ଓ ଅଖିଳ ଗମାଙ୍ଗ ଅସୁସ୍ଥ ହୋଇ ପଡ଼ିଥିଲେ।ଅସୁସ୍ଥମାନଙ୍କୁ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସମସ୍ତ ଚିକିତ୍ସାଧୀନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।ରୁଟି ଖାଇବା ପରେ ଏକାଥରକେ ୬ ଜଣ ଅସୁସ୍ଥ ହୋଇଥିବାରୁ ଖାଦ୍ୟ ବିଷକ୍ରିୟାର ସନ୍ଦେହ କରାଯାଉଛି। ତେବେ ଅଟାରେ କୌଣସି ତ୍ରୁଟି ଥିଲା କି ଅନ୍ୟ କୌଣସି କାରଣରୁ ଅସୁସ୍ଥ ହୋଇଛନ୍ତି, ତାହା ଯାଞ୍ଚ ପରେ ସ୍ପଷ୍ଟ ହେବାର ଆଶା କରାଯାଉଛି।
