ମହିଳାଙ୍କ ପ୍ରତି ଅସଦାଚରଣ ତଥା ଆକ୍ରମଣ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
ଗଜପତି:,୧୭/୪(ମନୋଜ ପାଢ଼ୀ)-: ଗାଈଗୋରୁଙ୍କୁ ବିଲରୁ ଘଉଡାଇବା ଭଳି ଏକ ସାମାନ୍ୟ ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ କରି ଲହୁଲୁହାଣ କରିବା ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ (ମହିଳା ଅଦାଲତ) ଶ୍ରୀମତୀ ରଶ୍ମିତା ସାହୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩(ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ଅପରାଧରେ ରାୟଗଡ ଥାନା ଅନ୍ତର୍ଗତ ଜଲାଙ୍ଗ ଗ୍ରାମର ସୁରେଶ କୁମାର ଭୂୟାଁ (୪୫ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ରମେଶ କୁମାର ଭୂୟାଁଙ୍କର ଉକ୍ତ ମାମଲା ବିଚାରାଧୀନ ଥିବା ସମୟରେ ମୃତ୍ୟୁ କାରଣରୁ ମାମଲାଟି କେବଳ ସୁରେଶ କୁମାର ଭୂୟାଁଙ୍କ ବିରୁଦ୍ଧରେ ଚାଲୁ ରହିଥିଲା। ଉକ୍ତ ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସୌମ୍ୟ ସୌରଭ ପଟ୍ଟନାୟକ ସଫଳ ପରିଚାଳନା କରିଥିବା ସୂଚନା । ରାୟଗଡ ଥାନା ଅନ୍ତର୍ଗତ ଜଲାଙ୍ଗ ଗ୍ରାମର ଏତଲାକାରିଣୀ ଚଞ୍ଚଳା ଭୂୟାଁ ୨୦୨୦ମସିହା ମାର୍ଚ୍ଚ ୨୨ ତାରିଖ ଦିନ ଧାନ ବିଲ ଜଗିବାକୁ ଯାଇଥିଲେ ଓ ଯେତେବେଳେ ଖାଇବା ନିମନ୍ତେ ଘରକୁ ଆସି ଖାଦ୍ୟ ଜିନିଷ ଧରି ପୁଣି ବିଲକୁ ବାହାରିଥିଲେ, ସେହି ସମୟରେ ଗ୍ରାମର ରମେଶ କୁମାର ଭୂୟାଁ ଓ ସୁରେଶ କୁମାର ଭୂୟାଁ ତାଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହ ତାଙ୍କ ଗାଈଗୋରୁଙ୍କୁ କାହିଁକି ବାଡ଼େଇଲେ ବୋଲି ପ୍ରଶ୍ନ କରିବାରୁ ଏତଲାକାରିଣୀ କହିଥିଲେ ଯେ, ଯାହାର ଗାଈଗୋରୁ ଧାନ ଖାଇଥିଲେ, ସେମାନଙ୍କୁ ସେ ଉଡାଇଛନ୍ତି। ଏତିକି କଥାରୁ ଦୁଇ ବ୍ୟକ୍ତି ତାଙ୍କୁ ଦାଣ୍ଡ ଦୁଆରେ ଘୋଷାଡି ନେଇ ଅସଦାଚରଣ କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏହି ଘଟଣାକୁ ନେଇ ରାୟଗଡ ଥାନାରେ ମାମଲା ନମ୍ବର ୧୭/୨୦ରେ ଏକ ମାମଲା୨୩ ମାର୍ଚ୍ଚ ୨୦୨୦ ରୁଜୁ କରିଥିଲେ ଏବଂ ଏ.ଏସ.ଆଇ. ଅଭିମନ୍ୟୁ ପାଣିଗ୍ରାହୀ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ୧୦ଜଣ ସାକ୍ଷୀଙ୍କ ବୟାନ ତଥା ଦସ୍ତାବିଜକୁ ଭିତ୍ତି କରି ଆଜି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରି ୫ଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି।
